ଏହି ଅଭିନେତାଙ୍କୁ ଫୋନ କରିନ୍ତି ଭିକାରୀ ।

ଏହି ଅଭିନେତାଙ୍କୁ ଫୋନ କରିନ୍ତି ଭିକାରୀ ।

ଏହି ଅଭିନେତାଙ୍କୁ ଫୋନ କରିନ୍ତି ଭିକାରୀ ।
ଅଶୀ ଦଶକର ଯୁବକ ଜଣକ ମୁମ୍ବାଇର ଏକ ବସ୍ତି ଅଞ୍ଚଳରେ ଖୁବ ଅଭାବରେ ଦିନ ବିତାଉଥିଲେ । ଏପରିକି ପାଠପଢ଼ା ସମ୍ପୂର୍ଣ୍ଣ କରିବା ମଧ୍ୟ ତାଙ୍କ ପକ୍ଷରେ ସମ୍ଭବ ହୋଇନଥିଲା । ପରବର୍ତ୍ତୀ ସମୟରେ ସେ ହିନ୍ଦୀ ଚଳଚ୍ଚିତ୍ର ଜଗତର ତାରକା ହୋଇଥିଲେ । ପ୍ରତିଷ୍ଠା, ପ୍ରତିପତ୍ତି ହାସଲ କରିବା ପରେ ମଧ୍ୟ ସେ ନିଜର ସେହି ବସ୍ତିକୁ ଭୁଲି ନାହାନ୍ତି । ଏପରିକି ଆଖପାଖର ଭିକାରୀମାନେ ବି ତାଙ୍କ ବ୍ୟକ୍ତିଗତ ମୋବାଇଲ ନମ୍ବର ଜାଣନ୍ତି । ଚଳଚ୍ଚିତ୍ରର ଏହି ନାୟକ ହେଲେ ଜ୍ୟାକି ଶ୍ରଫ ଯାହାଙ୍କୁ ଜଗୁ ଦାଦା ଭାବେ ବି ଜଣାଯାଏ । ଏବେ ବି ମୁମ୍ବାଇ ଫୁଟପାଥରେ ରହୁଥିବା ଭିକାରୀମାନେ ତାଙ୍କୁ ଫୋନ କରି ସହାୟତା ମାଗିଥାନ୍ତି । ଅଭାବୀ ମଣିଷଙ୍କ ଲାଗି ଜ୍ୟାକିଙ୍କର ଏକ ସ୍ୱତନ୍ତ୍ର ଆକାଉଣ୍ଟ ରହିଥିବା ଜଣାଯାଏ । ତାଙ୍କ ସହାୟତାରେ ଶହେରୁ ଅଧିକ ପରିବାର ସହଜରେ ଚଳିପାରୁଛନ୍ତି । ଅଭାବ ଯୋଗୁ ଏକାଦଶ ଶ୍ରେଣୀରୁ ପାଠପଢ଼ାରେ ଡୋରି ବାନ୍ଧି ଥିବା ଜ୍ୟାକି ପେଟ ପୋଷିବା ଲାଗି ରୋଷେୟାଠାରୁ ଫ୍ଲାଇଟ ଆଟେଣ୍ଡାଣ୍ଟ ପର୍ଯ୍ୟନ୍ତ କାମ କରିଥିଲେ ।ହଠାତ ଦିନେ ବସଷ୍ଟାଣ୍ଡରେ ତାଙ୍କ ଭାଗ୍ୟ ବଦଳିଗଲା । ଚଳଚ୍ଚିତ୍ର ଜଗତର ଜଣେ ବ୍ୟକ୍ତିଙ୍କ ନଜର ତାଙ୍କ ଉପରେ ପଡ଼ିବା ପରେ ସେ ତୁରନ୍ତ ତାଙ୍କୁ କାମ କରିବା ପ୍ରସ୍ତାବ ଦେଇଥିଲେ । ସୁଭାଷ ଘାଇଙ୍କ ଚଳଚ୍ଚିତ୍ର ‘ହିରୋ’ରେ ଅଭିନୟ କଲେ ଜ୍ୟାକି । ଧୀରେ ଧୀରେ ସେ ସୁପରଷ୍ଟାର ହୋଇଗଲେ । ଅର୍ଥର ପ୍ରାଚୁର୍ଯ୍ୟ ବଢ଼ିଲା । ତେବେ ନିଜ ପୁରୁଣା ଦିନକୁ ସେ ଭୁଲି ପାରିନାହାନ୍ତି । ଏବେ ବି ତିନ ବତି ବାଲକେଶ୍ୱର ଅଞ୍ଚଳରେ ଥିବା ତାଙ୍କର ପୁରୁଣା ଘରକୁ ସେ ଯାଆନ୍ତି । ଅଭିନେତା ଅର୍ଜ୍ଜୁନ ବାଜୱା ଜ୍ୟାକିଙ୍କର ସେହି ଘରର ଭିଡିଓ ଇନଷ୍ଟାଗ୍ରାମରେ ଶେୟାର କରିଥିଲେ । ସେଠାରେ ରହୁଥିବା ସାଧାରଣ ଲୋକ ନିଜର ଯେ କୌଣସି ଆବଶ୍ୟକତା ସମୟରେ ଜ୍ୟାକିଙ୍କୁ ଫୋନ କରିପାରନ୍ତି । ସେମାନେ ଚିକିତ୍ସା ଲାଗି ମୁମ୍ବାଇର ନାନାବତୀ ହସ୍ପିଟାଲରେ ବି ସ୍ୱତନ୍ତ୍ର ସୁବିଧା କରାଇଛନ୍ତି ଜ୍ୟାକି ଶ୍ରଫ ।