ଏସିଏଫଓ ସୌମ୍ୟଙ୍କ ମୃତୁ୍ୟ ରହସ୍ୟ : ମଶାରୀରେ ଲାଗିଛି ନିଆଁ
ଏସିଏଫଓ ସୌମ୍ୟଙ୍କ ମୃତୁ୍ୟ ରହସ୍ୟ : ମଶାରୀରେ ଲାଗିଛି ନିଆଁ
ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫଓ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତୁ୍ୟ ଏବେ ରହସ୍ୟଘେରରେ ରହିଛି । ମୃତୁ୍ୟ ପଛର ପ୍ରକୃତ କାରଣ ଖୋଜିବାକୁ ପୁଲିସ ତଦନ୍ତକୁ ଜୋରଦାର କରିଛି । ତେବେ ଏହା ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ପୁଲିସ ଓ କ୍ରାଇମବ୍ରାଞ୍ଚ ସୌମ୍ୟଙ୍କ ସରକାରୀ ବାସଭବନରେ ଯାଞ୍ଚ କରିବା ପରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଆସିଛି । କ୍ରାଇମବ୍ରାଞ୍ଚ ଡିଏସପି ବିଜୟ କୁମାର ମଲ୍ଲିକ ଏକ ବଡ଼ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଘଟଣା ଘର ଭିତରେ ହିଁ ଘଟିଥିବା ଜଣାପଡ଼ିଛି । କ୍ୱାର୍ଟର୍ସ ପଛପଟ କବାଟ ପୋଡ଼ିଯାଇଛି । ତେବେ ମଶାରୀରେ ନିଆଁ ଲାଗିଛି । ପାରିପାଶ୍ୱିର୍କ ସ୍ଥିତି ଯାହା ଜଣାପଡ଼ିଛି, ଘର ଭିତରେ ହିଁ ଘଟଣା ଘଟିଛି । ସମସ୍ତଙ୍କ କଲ ଡିଟେଲ୍ସ ଯାଞ୍ଚ ଚାଲିଛି ବୋଲି କ୍ରାଇମବ୍ରାଞ୍ଚ ଡିଏସପି ବିଜୟ କୁମାର ମଲ୍ଲିକ କହିଛନ୍ତି ।
ଅନ୍ୟପକ୍ଷରେ ସୌମ୍ୟରଞ୍ଜନ ମହାପାତ୍ରଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଗିରଫ କରାଯିବା ପାଇଁ ସୌମ୍ୟଙ୍କ ପରିବାର ପକ୍ଷର ଓକିଲ ପାର୍ଥସାରଥୀ ନାୟକ ଦାବି କରିଛନ୍ତି ।
ସେ କହିଛନ୍ତି ଯେ, ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବିଦ୍ୟାଭାରତୀଙ୍କୁ ତୁରନ୍ତ ଗିରଫ କରାଯାଉ । ଗିରଫ ପରେ ରିମାଣ୍ଡରେ ଆଣି ପୁଲିସ ପଚରାଉଚରା କରୁ । ପଚରାଉଚରା କଲେ ମାମଲାରେ ଡିଏଫଓଙ୍କ ସମ୍ପୃକ୍ତି ସମ୍ପର୍କରେ ଜଣାପଡ଼ିବ । ବିଦ୍ୟାଭାରତୀଙ୍କୁ ଗିରଫ କରିବା ପାଇଁ ଆଇନଗତ ପ୍ରତିବନ୍ଧକ ନାହିଁ । ବିଦ୍ୟାଭାରତୀ ଗିରଫ ହେଲେ ସବୁ କଥା ସ୍ପଷ୍ଟ ହୋଇଯିବ ବୋଲି ଓକିଲ ପାର୍ଥସାରଥୀ ନାୟକ କହିଛନ୍ତି ।
ସେହିପରି ଆଉ କିଛି ସମୟ ପରେ ଡିଏଫଓ ସଂଗ୍ରାମ ବେହେରାଙ୍କୁ ପଚରାଉଚରା କରାଯିବ । ପଚରାଉଚରା କରାଯିବା ନେଇ ପାରଳାଖେମୁଣ୍ଡି ପୁଲିସ ପକ୍ଷରୁ ସୂଚନା ମିଳିଛି । ଏତଲାରେ ନାଁ ଥିବାରୁ ଡିଏଫଓଙ୍କୁ ପୁଲିସ ପଚରାଉଚରା କରିବ ।
ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତୁ୍ୟ ରହସ୍ୟ ବଢ଼ିଚାଲିଛି । ହେଲେ ଆଶ୍ଚର୍ଯ୍ୟର କଥା ହେଲା, ଏଯାଏ ଗଜପତି ବନଖଣ୍ଡ ଅଧିକାରୀ (ଡିଏଫଓ)ଙ୍କୁ ତଦନ୍ତ ପରିସରକୁ ଅଣାଯାଇନଥିବାରୁ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମୃତକ ସୌମ୍ୟରଞ୍ଜନଙ୍କ ପରିବାର ବର୍ଗଙ୍କ ଏତଲା କ୍ରମେ ବନଖଣ୍ଡ ଅଧିକାରୀ ସଂଗ୍ରାମ କେଶରୀ ବେହେରା, ରୋଷେୟା ମନ୍ମଥ କୁମ୍ଭ ଓ ପତ୍ନୀ ବିଦ୍ୟା ଭାରତୀଙ୍କ ନାମରେ ହତ୍ୟା (ଆଇପିସିର ଦଫା ୩୦୨) ଓ ଅପରାଧିକ ଷଡଯନ୍ତ୍ର (ଦଫା ୧୨୦ (ବି) ମାମଲା ରୁଜୁ ହୋଇଥିଲା । ଏହା ମଧ୍ୟରେ ତଦନ୍ତକୁ ତ୍ୱରାନ୍ୱିତ କରାଯିବା ସହ ରୋଷେୟା ଓ ବିଦ୍ୟାଭାରତୀୟଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ଜେରା ସରିଛି । କିନ୍ତୁ ଡିଏଫଓଙ୍କୁ ଏଯାଏ ପୁଲିସ ଆନୁଷ୍ଠାନିକ ଜେରା କରି ନାହିଁ ।