ଏନ୍ଡିଏ ଶାସିତ ରାଜ୍ୟ ସରକାର ବି କମାଇବେ ତେଲ ଦର
ଏନ୍ଡିଏ ଶାସିତ ରାଜ୍ୟ ସରକାର ବି କମାଇବେ ତେଲ ଦର
ନୂଆଦିଲ୍ଲୀ: କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦ ଶୁଳ୍କ କମ୍ କରିବାକୁ ଘୋଷଣା କରିବା ପରେ ଏନଡିଏ ଶାସିତ ରାଜ୍ୟମାନେ ମଧ୍ୟ ତେଲ ଉପରୁ ଭାଟ କମ୍ କରିବାକୁ ଘୋଷଣା କରିଛନ୍ତି। ଫଳରେ ଏଥର ଦିପାବଳୀ ଅବସରରେ ବମ୍ପର ଭେଟି ପାଇଛନ୍ତି ଜନସାଧାରଣ।
କେନ୍ଦ୍ର ସରକାରଙ୍କ ପରେ ପରେ ଆସାମ, ତ୍ରିପୁରା, ମଣିପୁର, କର୍ଣ୍ଣାଟକ ଓ ଗୋଆ ସରକାର ଡିଜେଲ ପ୍ରତି ଲିଟର ୭ ଟଙ୍କା ଭାଟ କମ୍ କରିବାକୁ ଘୋଷଣା କରିଛନ୍ତି। ତେଣୁ ଏହି ଭାଟ ହ୍ରାସ ପରେ ଆଜିଠୁ ଆସାମ, ତ୍ରିପୁରା, ମଣିପୁର, କର୍ଣ୍ଣାଟକ ଓ ଗୋଆରେ ପେଟ୍ରୋଲ ଲିଟର ପିଛା ୧୨ ଟଙ୍କା ଓ ଡିଜେଲ ୧୭ ଟଙ୍କା କମ୍ ହେବ । ଉତ୍ତରାଖଣ୍ଡରେ ଲିଟର ପିଛା ୨ ଟଙ୍କା କମ୍ ହେବା ପରେ ପେଟ୍ରୋଲ ଲିଟ୍ ପିଛା ୭ ଟଙ୍କା ଓ ଡିଜେଲ ୧୨ ଟଙ୍କା ଶସ୍ତା ହୋଇଛି। ସିକିମ ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ପେଟ୍ରୋଲ ଓ ଡିଜେଲ ଉପରୁ ଲିଟର ପିଛା ୭ ଟଙ୍କା ଲେଖା ଭାଟ୍ ହ୍ରାସ କରିବାକୁ ଘୋଷଣା କରିଛନ୍ତି।
ଆସନ୍ତା ବର୍ଷ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଥିବା ବେଳେ ଏହି ମଉକାକୁ ହାତ ଛଡ଼ା କରିବାକୁ ଚାହିଁ ନାହାନ୍ତି ଯୋଗୀ ସରକାର। କେନ୍ଦ୍ର ସରକାରଙ୍କ ଘୋଷଣା ପରେ ପରେ ଯୋଗୀ ଉଚ୍ଚସ୍ତରୀୟ ବୈଠକ ଡାକି ପେଟ୍ରୋଲ ଉପରେ ୭ ଟଙ୍କା ଓ ଡିଜେଲ ଉପରେ ୨ ଟଙ୍କା କମାଇବାକୁ ଘୋଷଣା କରିଛନ୍ତି। ଫଳରେ ୟୁପିରେ ଆଜିଠୁ ପେଟ୍ରୋଲ ଓ ଡିଜେଲ ୧୨ ଟଙ୍କା ଲେଖାଏ ଶସ୍ତା ହୋଇଛି।
ସେହିପରି ବିହାରର ନିତିଶ କୁମାର ସରକାର ପେଟ୍ରୋଲ, ଡିଜେଲ ଉପରୁ ଭାଟ ହ୍ରାସ କରିଥିଲେ ବି ଏହା ଅନ୍ୟ ରାଜ୍ୟ ତୁଳନାରେ ଅପେକ୍ଷାକୃତ କମ୍ ରହିଛି। ନିତିଶ ସରକାର ପେଟ୍ରୋଲ ଉପରୁ ୧ଟଙ୍କା ୩୦ ପଇସା ଓ ଡିଜେଲ ଉପରୁ ୧ ଟଙ୍କା ୯୦ ପଇସା ଭାଟ ହ୍ରାସ କରିଛନ୍ତି। ତେଣୁ ବିହାରରେ ପେଟ୍ରୋଲ ୬ଟଙ୍କା ୩୦ ପଇସା ଓ ଡିଜେଲ ୧୧ଟଙ୍କା ୯୦ ପଇସା ଶସ୍ତା ହୋଇଛି।
ହେଲେ ଦରଦାମ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଥିବା ଓଡ଼ିଶାର ବିଜେଡି ସରକାର କିନ୍ତୁ ଏ ପର୍ୟ୍ୟନ୍ତ ଚୁପ୍ ରହିଛି। ବିଭିନ୍ନ ରାଜ୍ୟ ପକ୍ଷରୁ ଭାଟ୍ ହ୍ରାସ୍ କରିବାକୁ ଘୋଷଣା କରାଯିବା ପରେ ବି ଓଡ଼ିଶା ସରକାର ନିଜ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି କରିବା ପରି କୌଣସି ନିଷ୍ପତ୍ତି ନେବାକୁ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।




admin 