ଏଥର ବାଜି ମାରିନେଲା ପାକିସ୍ତାନ
ଏଥର ବାଜି ମାରିନେଲା ପାକିସ୍ତାନ

ଦୁବାଇ:କିଛି କାମ କଲାନି। ନା ଯୋଜନା ନା ଅଭିଜ୍ଞତା ନା ତାରକା ଖେଳାଳିଙ୍କ ଦବଦବା ରହିଲା। ବ୍ୟାଟିଙ୍ଗରେ ବିଫଳ ହେଲୁ, ବୋଲିଂର ଧଜ୍ଜିଆ ଉଡ଼ିଗଲା। ଏକତରଫା ଭାବେ ମ୍ୟାଚ ଜିତିଲା ପାକିସ୍ତାନ। ଆଉ ବିଶ୍ଵକପରେ ପାକିସ୍ତାନ ବିପକ୍ଷରେ ଭାରତର ବିଜୟ ଧାରା ରେକର୍ଡରେ ଲାଗିଲା ବ୍ରେକ। ଟି-୨୦ ବିଶ୍ବକପ୍ର ବହୁ ପ୍ରତୀକ୍ଷିତ ମହାମୁକାବିଲାରେ ପାକିସ୍ତାନ ଠାରୁ ଭାରତ ଶୋଚନୀୟ ଭାବେ ପରାସ୍ତ ହୋଇଛି। ଭାରତକୁ ୧୦ ୱିକେଟ୍ରେ ହରାଇ ପାକିସ୍ତାନ ବିଜୟ ହାସଲ କରିଛି। କୌଣସି ବିଶ୍ବକପ୍ରେ ମଧ୍ୟ ଭାରତ ବିପକ୍ଷରେ ପାକିସ୍ତାନର ଏହା ହେଉଛି ପ୍ରଥମ ବିଜୟ। ଏହାପୂର୍ବରୁ ଏକଦିବସୀୟ ଏବଂ ଟ୍ବେଣ୍ଟି-୨୦ ବିଶ୍ବକପ୍କୁ ମିଶାଇ ପାକିସ୍ତାନ ବିପକ୍ଷରେ ଖେଳିଥିବା ସମସ୍ତ ୧୨ଟି ମ୍ୟାଚ୍ରେ ଭାରତ ଅପରାଜେୟ ଥିଲା। ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଭାରତ ବିପକ୍ଷରେ ଷଷ୍ଠ ମ୍ୟାଚ୍ ଖେଳି ପ୍ରଥମ ଥର ବିଜୟର ସ୍ବାଦ ଚାଖିଛି ପାକିସ୍ତାନ।
ଆଜି ମ୍ୟାଚ୍ ଆରମ୍ଭରୁ ପାକିସ୍ତାନର ଆଗରେ ଭାରତର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ପାକିସ୍ତାନ ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଦେଇଥିଲା। ପ୍ରଥମରୁ ହିଁ ଝଟକା ଲାଗିଥିଲା, ରୋହିତ ଶର୍ମା, କେଏଲ ରାହୁଲଙ୍କୁ ସହଳ ପ୍ୟାଭିଲିୟନ ବାଟ ଦେଖାଇଥିଲେ ପାକିସ୍ତାନର ଯୁବ ତଥା ଦୁର୍ଦଷ ବୋଲର ସାହିନ ଆଫ୍ରିଦି। ପାକିସ୍ତାନର ଘାତକ ବୋଲିଂ
ଯୋଗୁଁ ଭାରତ ୩୧ ରନ୍ରେ ୩ ୱିକେଟ୍ ହରାଇ ସଙ୍କଟରେ ପଡ଼ିଯାଇଥିଲା। ତେବେ ଅଧିନାୟକ ବିରାଟ କୋହଲିଙ୍କ ୫୭ ଏବଂ ୱିକେଟ୍ ରକ୍ଷକ ଋଷଭ ପନ୍ତଙ୍କ ୩୯ ରନ୍ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୫୧ ରନ୍ କରି ସମ୍ମାନ ରଖିଥିଲା ଭାରତ। ଏହାର ଜବାବରେ ପାକିସ୍ତାନର ଯୁବ ଅଧିନାୟକ ବାବର ଆଜମ (୬୮*) ଏବଂ ମହମ୍ମଦ ରିଜୱାନ (୭୯*)ଙ୍କ ଧମାକା ବ୍ୟାଟିଂ ବଳରେ ୧୩ ବଲ୍ ପୂର୍ବରୁ ବିନା ୱିକେଟ୍ରେ ୧୫୨ ରନ୍ର ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା।
ଏହି ବିଜୟ ପରେ ପଡ଼ିଆରେ ପାକ ଖେଳାଳି ଖୁସିରେ ସେଲିବ୍ରେସନ କରିଥିଲା। ଏକାଠି ସେଲ୍ଫି ନେଇଥିଲେ। ସଫଳ ବୋଲିଂ ଯୋଗୁ ଆଫ୍ରିଦି ପ୍ଲେୟାର ଅଫ ଦ ମ୍ୟାଚ ହେଇଥିଲେ। ଭାରତକୁ ଏ ପରାଜୟ ବହୁତ ବାଧିଥିବାବେଳେ କ୍ୟାପଟେନ କୋହଲିଙ୍କ ଅଧିନାୟକ କ୍ୟାରିଅରରେ ଏକ ଅଲୋଡ଼ା ରେକର୍ଡ ଯୋଡ଼ି ହେଇଛି। ଭାରତ ଆଗାମୀ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଭେଟିବ।