ଉପନିର୍ବାଚନ ତାତି, ପ୍ରଚାରରେ ଉଠିବ ପଡିବ ଧାମନଗର
ଉପନିର୍ବାଚନ ତାତି, ପ୍ରଚାରରେ ଉଠିବ ପଡିବ ଧାମନଗର
ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପାଇଁ ଜୋର ଧରିବ ପ୍ରଚାର । ଧାମନଗର ଉପନିର୍ବାଚନରେ ପ୍ରଚାର ମଇଦାନରେ ବିଜେଡିକୁ କଡ଼ା ଟକ୍କର ଦେବେ ଉଭୟ ବିଜେପି ଓ କଂଗ୍ରେସ । ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବାକୁ ଆସିବେ ୩ କେନ୍ଦ୍ରମନ୍ତ୍ରୀ । ଆସନ୍ତା ୨୭ ଓ ୨୮ ତାରିଖ ଦୁଇ ଦିନ ଧରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ପାଇଁ ଆସିବେ । ସେହିପରି ପରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଓ ରେଳମନ୍ତ୍ରୀ ଅଶ୍ୱିନୀ କୁମାର ବୈଷ୍ଣବ ଆସିବେ ବୋଲି ବରିଷ୍ଠ ବିଜେପି ନେତା ସୂଚନା ଦେଇଛନ୍ତି । ତେବେ ଆସନ୍ତାକାଲି କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ନେଇ ଚୂଡାନ୍ତ ହେବ ବୋଲି ସେ କହିଛନ୍ତି ।
ସେହିପରି ଆସନ୍ତା ୨୭ ତାରିଖରୁ ଧାମନଗରରେ କଂଗ୍ରେସର ପ୍ରଚାରର ମଙ୍ଗ ଧରିବେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ । ସେ ୨୯ ତାରିଖ ପର୍ୟ୍ୟନ୍ତ ସେଠାରେ ପ୍ରଚାର କରିବେ । ପରେ ୩୦ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱର ଫେରି ଆସିବେ । ୩୧ରେ ଇନ୍ଦିରା ଗାନ୍ଧୀ ପାର୍କରୁ ଭାରତ ଯୋଡୋ ଯାତ୍ରା ଆରମ୍ଭ ହେବ । ତେବେ ଧାମନଗର ପ୍ରଚାର ବେଳେ ଏଆଇସିସି ସଂଖ୍ୟାଲଘୁ ସେଲ୍ ଅଧ୍ୟକ୍ଷ ଇମରାନ୍ ପ୍ରତାପଗଡ଼ି ଆସିବା ନେଇ ଆଲୋଚନା ହୋଇଛି । ଏହା ସହିତ ରାଜ୍ୟ କଂଗ୍ରେସ ପ୍ରଭାରୀ ସାଂସଦ ଡ. ଏ ଚେଲ୍ଲା କୁମାର, ଏଆଇସିସି ସମ୍ପାଦକ ଜି ରୁଦ୍ର ରାଜୁ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ବିଧାୟକ ସୁରେଶ ରାଉତରାୟଙ୍କ ସମେତ ୩୦ ବରିଷ୍ଠ ନେତା ପ୍ରଚାର କରିବେ ।




admin 