ଆୟରେ ବିଜେଡି ୩ ନମ୍ବର

ଆୟରେ ବିଜେଡି ୩ ନମ୍ବର

ଆୟରେ ବିଜେଡି ୩ ନମ୍ବର

ନୂଆଦିଲ୍ଲୀ: ୨୦୨୦-୨୧ରେ ଭାରତର ୩୧ଟି ଆଞ୍ଚଳିକ ଦଳମାନଙ୍କ ମଧ୍ୟରେ ଆୟରେ ବିଜୁ ଜନତା ଦଳ(ବିଜେଡ଼ି) ତୃତୀୟ ସ୍ଥାନରେ ଥିଲା । ଉକ୍ତ ବର୍ଷ ୩୧ଟି ଆଞ୍ଚଳିକ ଦଳର ମୋଟ ଆୟ ପରିମାଣ ୫୨୯.୪୧ କୋଟି ଟଙ୍କା ଥିବା ବେଳେ ବିଜେଡ଼ିର ଆୟ ଥିଲା ୭୩.୩୪କୋଟି ଟଙ୍କା । ଆୟରେ ଡ଼ିଏମକେ ସବୁଠାରୁ ଆଗରେ ଥିଲା । ଏହାର ଆୟ ଥିଲା ୧୪୯.୯୫ କୋଟି ଟଙ୍କା । ୱାଇଏସଆର କଂଗ୍ରେସ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଏହାର ଆୟ ପରିମାଣ ଥିଲା ୧୦୭.୯୯ କୋଟି ଟଙ୍କା । ଆଞ୍ଚଳିକ ଦଳମାନଙ୍କ ଆୟବ୍ୟୟକୁ ବିଶ୍ଳେଷଣ କରି ଆସୋସିଏସନ ଫର ଡେ଼ମୋକ୍ରେଟିକ ରିଫର୍ମ(ଏଡ଼ିଆର) ପକ୍ଷରୁ ଆଜି ପ୍ରକାଶିତ ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି ।


ଏଡ଼ିଆର ରିପୋର୍ଟରେ ଦିଆଯାଇଥିବା ତଥ୍ୟ ଅନୁସାରେ ୬୫.୩୧ କୋଟି ଟଙ୍କା ଆୟ ସହ ଜେଡ଼ି(ୟୁ) ଚତୁର୍ଥ ଏବଂ ୩୭.୬୫ କୋଟି ଟଙ୍କା ଆୟ ସହ ଟିଆରଏସ ପଞ୍ଚମ ସ୍ଥାନରେ ରହିଛି । କେବଳ ୫ଟି ଶୀର୍ଷ ଆୟକାରୀ ଆଞ୍ଚଳିକ ଦଳର ଘୋଷିତ ଆୟ ପରିମାଣ ୪୩୪.୨୫କୋଟି ଟଙ୍କା ଥିଲା । ୨୦୨୦-୨୧ରେ ୩୧ଟି ଆଞ୍ଚଳିକ ଦଳ ୪୧୪.୦୨୮ କୋଟି ଟଙ୍କା ବ୍ୟୟ କରିଛନ୍ତି । ଉକ୍ତ ବର୍ଷ ଯେଉଁ ୫ଟି ଆଞ୍ଚଳିକ ଦଳ ଆୟ ତୁଳନାରେ କମ ବ୍ୟୟ କରିଛନ୍ତି ସେମାନଙ୍କ ମଧ୍ୟରେ ବିଜେଡ଼ି ରହିଛି । ଆୟ ତୁଳନାରେ ବ୍ୟୟ ପ୍ରତିଶତକୁ ହିସାବକୁ ନେଲେ ୱାଇଏସଆର କଂଗ୍ରେସ ପରେ ବିଜେଡ଼ି ଦ୍ୱିତୀୟ ସ୍ଥାନରେ ରହିଛି । ମୋଟ ଆୟରୁ ୱାଇଏସଆର କଂଗ୍ରେସ ମାତ୍ର .୭୫ ପ୍ରତିଶତ ଖର୍ଚ୍ଚ କରିଛି । 

 

ବିଜେଡ଼ି ୨୦୨୦-୨୧ରେ ଘୋଷିତ ଆୟରୁ ୯୦.୪୪ ପ୍ରତିଶତ ଖର୍ଚ୍ଚ କରିନି । ଦଳ ପକ୍ଷରୁ ପ୍ରଶାସନିକ ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ଉକ୍ତ ବର୍ଷ କେବଳ ୭.୦୧କୋଟି ଟଙ୍କା ବ୍ୟୟ ହୋଇଛି । ବିଜେଡ଼ି ସମେତ ୫ଟି ଆଞ୍ଚଳିକ ଦଳ ୨୦୨୦-୨୧ରେ ଇଲେକ୍ଟୋରାଲ ବଣ୍ଡ ମାଧ୍ୟମରେ ୨୫୦.୬୦ କୋଟି ଟଙ୍କାର ଡେ଼ାନେସନ ସଂଗ୍ରହ କରିଥିଲେ । ଏହା ମାଧ୍ୟମରେ ବିଜେଡ଼ି ୬୭କୋଟି ଟଙ୍କା ସଂଗ୍ରହ କରିଥିଲା । ତେବେ ୨୦୧୯-୨୦ତୁଳନାରେ ୨୦୨୦-୨୧ରେ ବିଜେଡ଼ିର ଆୟ ପରିମାଣ କମିଛି । ୨୦୧୯-୨୦ରେ ବିଜେଡ଼ି ୯୦.୩୫କୋଟି ଟଙ୍କା ଆୟ କରିଥିଲା ।