ଆସିଲା ବଣଭୋଜି ଋତୁ, ଗୁଡହାଣ୍ଡି ଡୋକରି ଚଞ୍ଚରାରେ ଜମିଲା ପର୍ୟ୍ୟଟକଙ୍କ ଭିଡ

ଆସିଲା ବଣଭୋଜି ଋତୁ, ଗୁଡହାଣ୍ଡି ଡୋକରି ଚଞ୍ଚରାରେ ଜମିଲା ପର୍ୟ୍ୟଟକଙ୍କ ଭିଡ

ଆସିଲା ବଣଭୋଜି ଋତୁ, ଗୁଡହାଣ୍ଡି ଡୋକରି ଚଞ୍ଚରାରେ ଜମିଲା ପର୍ୟ୍ୟଟକଙ୍କ ଭିଡ
କୋକସରା (ଜଗଦୀଶ ଚନ୍ଦ୍ର ନାଏକ) - ପ୍ରାକୃତିକ ସୌନ୍ଦର୍ୟ୍ୟରେ ପରିପୂର୍ଣ୍ଣ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ଖଲିଗଡ ସହାଜଖୋଲ ସଂରକ୍ଷିତ ଜଙ୍ଗଳ ପଦ ଦେଶରେ ଥିବା ବହୁ ପ୍ରାଚିନ ପର୍ୟ୍ୟଟନସ୍ଥଲି ଗୁଡହାଣ୍ଡି ଡୋକରି ଚଞ୍ଚରାଠାରେ ଚଳିତ ବର୍ଷ ଡିସେମ୍ବର ମାସ ଆରମ୍ଭରୁ ପିକନିକ ପାର୍ଟିର ଭିଡ ଦେଖିବାକୁ ମିଲିଛି । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦରମହକୁମା ଠାରୁ ୨୨. କି.ମି ଅତି କ୍ରମ କଲାପରେ ଆଖି ଆଗରେ ଝଳସି ଉଠେ ଗୁଡହାଣ୍ଡି ଡୋକରୀ ଚଞ୍ଚରାର ଦୁଇ ଜଳପ୍ରପାତ, ଡୋକରିଦର ଓ ଭୈରବଧାର । ତା’ ସହିତ ଗୁଡହାଣ୍ଡିର ହଜାର ହଜାର ବର୍ଷତଲର କଳା-ଖଇ ଅନ୍ଧାରର ଶିଲାଳିପି, ଯୋନଚିତ୍ର ଓ ପ୍ରାକୃତିକ ବିଭବ, ଝରଣା, ଗୁମ୍ଫା ବର୍ଷବର୍ଷ ଧରି ପର୍ୟ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ରହିଆସିଥିବା ବେଳେ ସପ୍ତାହେ ହେବ ବଣଭୋଜି ପାଇଁ ପର୍ୟ୍ୟଟକଙ୍କ ଅସର ପାଳଟିଛି । ଦକ୍ଷିଣ-ପଶ୍ଚିମ ଦିଗରେ ପ୍ରାୟ ୨ କି.ମି ପାଖାପୁଖି ଗଲାପରେ ପଡେ ଭୈରବଧାର । ଏହି ଝରଣାର ଭୟଙ୍କର ଦୃଶ୍ୟ ପ୍ରାୟ ୨ ଶହ ଫୁଟ୍ ରୁ ଉର୍ଦ୍ଧ, ଏଠାରେ ଶହଶ୍ର ମଧୁମଖିଙ୍କ ଫେଣ ସାଙ୍ଗକୁ ଜଙ୍ଗଲି ପକ୍ଷୀଙ୍କ କିଛିରି ମିଚିରି ଶବ୍ଦ ଦର୍ଶକଙ୍କ ମନରେ ଭରପୁର ଆନନ୍ଦ ଭରିଦେଇଥାଏ । ସେହିପରି ମନ୍ଦିର ପରିସରରେ ରହିଛି ଡୋକରୀ ଚଂଚରା ଏକ ପଥର ଶଯ୍ୟା । ପଥର ଶଯ୍ୟାରେ ଲାଗିକି ରହିଛି ପ୍ରାୟ-୨ ଶହ ଫୁଟର ଜଳ ପ୍ରପାତ ଡୋକରିଦର । ତା’ ସହିତ ବହୁ ଆକର୍ଷଣୀୟ ସ୍ଥାନ ରହିଥିବାବେଳେ ଏହାର ଚତୁଃପାର୍ଶ୍ଵରେ ବଣ ପାହଡ ଘେରା ପ୍ରାକୃତିକ ସୌନ୍ଦର୍ୟ୍ୟରେ ପରିପୂର୍ଣ୍ଣ । ବର୍ଷସାରା ଏହି ପର୍ୟ୍ୟଟନ ସ୍ଥାନ ଦେଖିବା ପାଇଁ ହଜାର ହଜାର ପର୍ୟ୍ୟଟକ ଛୁଟିଆସୁଥିବା ବେଳେ ପ୍ରତି ବର୍ଷ ଏଠାରେ ଚୈତ୍ରା ମାସରେ ୯ ଦିନ ଧରି ଲାଗିଥାଏ ରାମନବମୀ ଓ ଗୁଡହାଣ୍ଡି ମହୋତ୍ସବ । ଏହି ସମୟରେ ଜିଲ୍ଲା ତଥା ରାଜ୍ୟ ବାହରୁ ହଜାର ହଜାର ଶ୍ରଧାଳୁଙ୍କ ସୁଅ ଛୁଟିଥାଏ । କଳାହାଣ୍ଡି ଜିଲ୍ଲା ସଦରମହକୁମାରୁ ପାଖାପୁଖି ୧୫୦ କି.ମି ଦୂରରେ ଡୋକରି ଚଂଚରା ଅବସ୍ଥିତ । ଏହି ସ୍ଥାନକୁ ଯିବାକୁ ହେଲେ ଭବାନୀପାଟଣାରୁ ଧର୍ମଗଡ, ପର୍ଲା, ବେହେରା, ଗୋତମୁଣ୍ଡା ଦେଇ ଘଣ୍ଟିଗୁଡା ଆସିବାକୁ ପଡୁଥିବାବେଳେ ଜୁନାଗଡ, ମୋଟେର ରୁ କୋକସରା ପହଂଚି ବଙ୍ଗୋମୁଣ୍ଡା ପେଟ୍ରୋଲ ପମ୍ଫ ଛକ ଠାରୁ ଟେମରା, ମହିମା ଦେଇ ଘଣ୍ଟିଗୁଡା ଆସିବାକୁ ପଡେ । ଘଣ୍ଟିଗୁଡା ଛକ ଠାରୁ ପଶ୍ଚିମ ଦିଗକୁ ୧୨. କି.ମି ଗଲାପରେ ଡୋକରୀ ଚଂଚରା ପହଂଚି ପାରିବେ । ସେହିପରି ଅନ୍ୟ ଏକ ରାସ୍ତା କୋକସରାରୁ ବୋବରିଆ ଢାବା ଛକ ଠାରୁ ଡେଙ୍ଗାଗୁଡା, ଦର୍ଲିପଡା ଛକ ହୋଇ ଧୋବେନପାଡା ପରେ ଖଲିଗଡ ଦେଇ ଯାଇପାରିବେ । ସେହିପରି ପଡୋସୀ ନବରଙ୍ଗପୁର ଜିଲ୍ଲା ପଟୁ ଆସୁଥାନ୍ତି ତେବେ ପାପଡାହାଣ୍ଡି, ମୌଦଳପୁର, ଆମପାଣି, ବଡକେନ୍ଦୁଗୁଡା, ଦର୍ଲିପଡା ଛକ ଠାରୁ ଧୋବେନପଡା, ଖଲିଗଡ ଦେଇ ଡୋକରୀ ଚଂଚରା ପହଂଚି ପାରିବେ । ଶୀତ ଋତୁରେ ଏଠାରେ ବଣଭୋଜି କରିବା ପାଇଁ ହଜାର ହଜାର ପର୍ୟ୍ୟଟକଙ୍କ ଭିଡ ଲାଗିଥିବାବେଳେ ଏଠାକାର ମନରୋମ ଦୃଶ୍ୟକୁ ଉପଭୋଗ କରିବା ପାଇଁ ସକାଳୁ ସନ୍ଧ୍ୟା ଯାଏ ପ୍ରକୃତି ପ୍ରେମୀଙ୍କ ଭିଡ ଜମିଥାଏ । ଏଠିକାର ଜଙ୍ଗଳ ପରିବେଷ୍ଟିତ ଶାନ୍ତ ଓ ସବୁଜ ପରିବେଶରେ ପିକ୍ନିକ୍ କରିବାରେ ନିଆର ଅନୁଭୁତି ମିଲିଥାଏ ବୋଲି ପର୍ୟ୍ୟଟକ ମାନେ କୁହନ୍ତି । ଭୈ÷ରବଧାର ଓ ଡୋକରୀଦର ଜଳ ପ୍ରପାତ ଦ୍ୱୟ ନିକଟକୁ ଯିବା ପାଇଁ ସୁରକ୍ଷା ପାହାଚ, ବଣଭୋଜି ପିଣ୍ଡ ଆଦି ବ୍ୟବସ୍ଥା କରିବା ପାଇଁ ଦାବି ହେଉଥିବାବେଳେ ଏହି ପର୍ୟ୍ୟଟନସ୍ଥଲିରେ ଯାତ୍ରୀ ମାନଙ୍କ ସୁବିିଧା ପାଇଁ ଶୌଚାଳୟ, ପାନୀୟ ଜଳ, ବୈଦୁତି କରଣ ଭଲି ଅନେକ ବ୍ୟବସ୍ଥା କରାଯିବା ସହ ପର୍ୟ୍ୟଟନ ବିଭାଗ ଏହାର ଉନ୍ନତି ଦିଗରେ ଦୃଷ୍ଟି ଦେବା ସହ ପ୍ରଚାର ପ୍ରଶାରଣ ଉପରେ ଗୁରୁତ୍ୱ ଦେଲେ ଲୋକଲୋଚନକୁ ଆସିବା ସହ ଏହାକୁ ଅଧିକ ଆକର୍ଷଣ କରାଯାଆନ୍ତା ତେବେ ଏହା ଅଧିକ ମନରୋମ ହୋଇ ପାରନ୍ତା ବୋଲି ଆଶା କରାଯାଉଛି ।