ଆସନ୍ତାକାଲିଠୁ ପୁଣି କାଳବୈଶାଖୀ

ଆସନ୍ତାକାଲିଠୁ ପୁଣି କାଳବୈଶାଖୀ

ଆସନ୍ତାକାଲିଠୁ ପୁଣି କାଳବୈଶାଖୀ
ଭୁବନେଶ୍ୱର : ବାତ୍ୟା ‘ୟାସ’ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଥିବା ବେଳେ ଗତକାଲି ବିହାର ଓ ସଂଲଗ୍ନ ପୂର୍ବ ଉତ୍ତରପ୍ରଦେଶ ଉପରେ ଏହା ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ଭାବେ ରହିଥିଲା । ଏବେ ଏହା ପୂର୍ବ ଉତ୍ତରପ୍ରଦେଶ ଓ ସଂଲଗ୍ନ ବିହାରର ପୂର୍ବ ଭାଗରେ ରହିଛି । ଏହାସହ ଜଡ଼ିତ ଘୂର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କିମି ଉଚ୍ଚତାରେ ରହିଛି । ଏହା ଧୀରେଧୀରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଓ ଆସନ୍ତା ୧୨ଘଣ୍ଟାରେ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହେବ । ଅନ୍ୟପଟେ କେରଳରେ ମୌସୁମୀ ସକ୍ରିୟ ହେବାକୁ ଅନୁକୂଳ ପରିବେଶ ସୃଷ୍ଟି ହେବାରେ ଲାଗିଛି । ଆଉ ୩ ଦିନରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ନେଇ ସ୍ପଷ୍ଟ କରିଛି ଭାରତୀୟ ପାଣିପାଗ ବିଭାଗ । ରାଜ୍ୟରେ ଏବେ ପାଗ ଶୁଖିଲା ରହିଥିବା ବେଳେ ଆସନ୍ତା ୩୦ ତାରିଖରୁ କାଳବୈଶାଖୀ ଆରମ୍ଭ ହୋଇଯିବ । ସେହିଭଳି ବାତ୍ୟା ‘ୟାସ’ ଓଡ଼ିଶାରୁ ଯିବା ପରେ ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିଛି । ଶୁକ୍ରବାର ସାରା ରାଜ୍ୟରେ ଖରାଟିଆ ପାଗ ଦେଖାଯାଇଥିଲା । ଆକାଶ ନିର୍ମଳ ରହିବା ସହ ପାଗ ଖରାଟିଆ ରହିବ । ୩୦ତାରିଖରୁ ରାଜ୍ୟରେ କ୍ରମାଗତ ଭାବେ କାଳବୈଶାଖୀ ବର୍ଷା ଆରମ୍ଭ ହୋଇଯିବ । ୩୦ ତାରିଖ ଦିନ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ । ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିମି ରହିବ । ସେହିଭଳି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ୩୧ ତାରିଖ ଦିନ ଏବଂ ମୟୂରଭଞ୍ଜ, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ ଗଜପତି ଆଦି ଜିଲ୍ଲାରେ ଜୁନ ୧ ତାରିଖ ଦିନ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି । ଦୁଇ ଦିନ ମଧ୍ୟ ପବନର ବେଗ ଖୁବ ଅଧିକ ରହିବ । ପ୍ରାୟ ୩୦ରୁ ୪୦ କିମି ବେଗରେ ପବନ ବହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏଥିସହ କେନ୍ଦ୍ର ପକ୍ଷରୁ ଏହି ୩ ଦିନ ପାଇଁ ଉପରୋକ୍ତ ଜିଲ୍ଲାଗୁଡ଼ିକରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।