ଆସନ୍ତାକାଲିଠୁ ଯୁକ୍ତ ଦୁଇ ପରୀକ୍ଷା, ଅଧ୍ୟାପକଙ୍କ ଆନ୍ଦୋଳନ ପାଇଁ ଚିନ୍ତାରେ ସରକାର

ଆସନ୍ତାକାଲିଠୁ ଯୁକ୍ତ ଦୁଇ ପରୀକ୍ଷା, ଅଧ୍ୟାପକଙ୍କ ଆନ୍ଦୋଳନ ପାଇଁ ଚିନ୍ତାରେ ସରକାର

ଭୁବନେଶ୍ୱର : ଆସନ୍ତାକାଲିଠୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ପରୀକ୍ଷା  । ଏଥିପାଇଁ ଆଜି ସନ୍ଧ୍ୟା ସୁଦ୍ଧା ୨୦୨ଟି ହବ୍ରେ ପ୍ରଶ୍ନପତ୍ର ସହ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ପହଂଚିବ  ।  ମୋଟ ଉପରେ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବିଭାଗର ରେଗୁଲାର ଏବଂ ଏକ୍ସ ରେଗୁଲାରରେ ମୋଟ ୩ ଲକ୍ଷ ୫୭ ହଜାର ୯୪୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାର ଅଛି  । କିନ୍ତୁ  ଏସବୁ ଭିତରେ ଅଧ୍ୟାପକଙ୍କ ଆନ୍ଦୋଳନ ସରକାରଙ୍କୁ ଚିନ୍ତାରେ ପକାଇଦେଇଛି  । କାରଣ ଏବେ ବିଧାନସଭା ସମ୍ମୁଖରେ ଆନ୍‌ଦୋଳନରେ ବସିଛନ୍ତି ୬୬୨ ବର୍ଗ କଲେଜ ଅଧ୍ୟାପକମାନେ  । ପ୍ରାୟ ୫ ହଜାର ଶିକ୍ଷକ ଯୁକ୍ତ ଦୁଇ ପରୀକ୍ଷାରେ ଅସହଯୋଗ କରିବାକୁ ନିଷ୍ପତ୍ତି ନେଇଥିବାରୁ ରାଜ୍ୟ ସରକାର ଚିନ୍ତାରେ ପଡିଯାଇଛନ୍ତି  ।

ଏପରି ସ୍ଥତିରେ ବିକଳ୍ପ ପନ୍ଥା ଆପଣାଇବାକୁ ଚିନ୍ତା କରୁଛନ୍ତି ସରକାର  । ଅଧ୍ୟାପକଙ୍କ ବଦଳରେ ହାଇସ୍କୁଲର ଶିକ୍ଷକମାନଙ୍କୁ ଯୁକ୍ତ ଦୁଇ ପରୀକ୍ଷା ପରିଚାଳନାରେ ନିୟୋଜିତ କରିବାକୁ ଚିନ୍ତା କରୁଛନ୍ତି ରାଜ୍ୟ ସରକାର  । ଅଧ୍ୟାପକଙ୍କ ଦାବି ପୂରଣ ନେଇ ଏକ ପ୍ରତିନିଧି ମଣ୍ଡଳୀ ସହ ସରକାର ଘନ ଘର ବୈଠକ କରିଛନ୍ତି  । ହେଲେ କୌଣସି ନିଷ୍କର୍ସ ବାହାରି ପାରିନାହିଁ  । ଆଜି ଦିନ ୧୧ଟାରେ ବିଧାୟକ ତଥା ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାସ ଦାସଙ୍କ ସହ ଅଧ୍ୟାପକଙ୍କ ଏକ ପ୍ରତିନିଧି ମଣ୍ଡଳୀ ଆଲୋଚନା କରିବାର ଅଛି  ।


ଅଧ୍ୟାପକମାନଙ୍କୁ ଦାବି ପୁରଣ ପ୍ରତିଶ୍ରୁତି ଦେଇ କଲେଜକୁ ଫେରାଇବେ ନାଁ ସରକାର ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବେ ତାହା ଉପରେ ନଜର ରହିଛି  । ହାତରେ ସମୟ କମ ଥିବାରୁ ସରକାର ଦୁଇଟି ପନ୍ଥା ଆପଣାଇବକୁ ପ୍ରସ୍ତୁତ ହୋଇଛନ୍ତି  ।