ଆଜିଠାରୁ ୧୨ରୁ ୧୪ ବର୍ଷର ପିଲାଙ୍କୁ ଦିଆଯିବ କରୋନା ଟିକା
ଆଜିଠାରୁ ୧୨ରୁ ୧୪ ବର୍ଷର ପିଲାଙ୍କୁ ଦିଆଯିବ କରୋନା ଟିକା
ନୂଆଦିଲ୍ଲୀ: ଜାତୀୟ ଟିକାକରଣ ଦିବସ ଅବସରରେ ଆଜିଠାରୁ ଆରମ୍ଭ ହେବ ୧୨ରୁ ୧୪ ବର୍ଷର ପିଲାଙ୍କୁ ଟିକାକରଣ । ଅର୍ଥାତ ୨୦୧୦ ମାର୍ଚ୍ଚ ୧୫ ପୂର୍ବରୁ ଯେଉଁମାନଙ୍କର ଜନ୍ମ, ସେମାନଙ୍କୁ ଏହି କୋଭିଡ ଟିକା ଦିଆଯିବ । କେନ୍ଦ୍ର ସ୍ୱାସ୍ଥ୍ୟ ସବିବ ରାଜେଶ ଭୂଷଣ ଏନେଇ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କ ନିକଟକୁ ଚିଠି ଲେଖିଛନ୍ତି ।
ଟିକା ନେବା ଲାଗି ଜନ୍ମ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ । ଉଭୟ ଅନଲାଇନ ଓ ଅଫଲାଇନ ପଞ୍ଜୀକରଣ ଜରିଆରେ ଟିକା ଦିଆଯିବ । ପିଲାମାନଙ୍କୁ ୨୮ ଦିନ ବ୍ୟବଧାନରେ ଦୁଇ ଡୋଜ ଟିକା ଦିଆଯିବ । ପିଲାମାନଙ୍କ ଏହି ଟିକା ପାଇଁ ଆଜି ସକାଳ ୯ଟାରୁ ଅନଲାଇନ୍ ପଞ୍ଜୀକରଣ ଆରମ୍ଭ ହେବ । ଏହାସହିତ ଟିକାକରଣ କେନ୍ଦ୍ରରେ ମଧ୍ୟ ଟିକା ଦେବାର ସୁବିଧା ଉପଲବ୍ଧ ହେବ ।
ପିଲାମାନେ ନିଜର ପରିବାର ସଦସ୍ୟଙ୍କ ସହ ଅବା ଭିନ୍ନ ଭାବେ ପଞ୍ଜୀକରଣ କରିପାରିବେ । ଆଧାର କାର୍ଡ ନଥିଲେ ପିଲାଙ୍କ ସ୍କୁଲ ଆଇକାର୍ଡରେ ମଧ୍ୟ ପଞ୍ଜୀକରଣ କରିହେବ । ଚାରିଜଣିଆ ସଦସ୍ୟ ବିଶିଷ୍ଟ ପରିବାର ଗୋଟିଏ ମୋବାଇଲ ନମ୍ବରରେ ପଞ୍ଜୀକରଣ କରିପାରିବେ । ସ୍କୁଲ ଶିକ୍ଷକମାନେ ଏହି ଟିକାକରଣ ଅଭିଯାନରେ ସହଯୋଗ କରିବେ । ଟିକାକରଣ ପାଇଁ ନିର୍ଦ୍ଧିଷ୍ଟ କେନ୍ଦ୍ରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପିଲାଙ୍କୁ ଟିକା ଦେବାବେଳେ ଯେଭଳି ଉକ୍ତ ଟିକା ଅନ୍ୟ କୌଣସି ଟିକା ସହ ମିଶିନଯାଏ, ସେଥିପ୍ରତି ବିଶେଷ ଧ୍ୟାନ ଦିଆଯିବ । ଟିକା ନେବାକୁ ହେଲେ କୋ-ୱିନ ପୋର୍ଟାଲରେ ନାମ ପଞ୍ଜିକରଣ କରିବାକୁ ପଡିବ । ନଚେତ୍ ଟିକାକରଣ କେନ୍ଦ୍ରରେ ମଧ୍ୟ ପିଲାମାନେ ନିଜର ନାମ ପଞ୍ଜୀକରଣ କରିପାରିବେ ।
ଏହି ବୟସ ବର୍ଗରେ ପ୍ରାୟ ୭ କୋଟି ୧୧ ଲକ୍ଷ ପିଲା ହିତାଧିକାରୀଭାବେ ଅଛନ୍ତି । ଏହି ଅଭିଯାନ ପାଇଁ ପ୍ରାୟ ୫ କୋଟି ଡୋଜ କେନ୍ଦ୍ରକୁ ଦିଆଯାଇଥିବା ଭ୍ୟାକସିନ୍ ନିର୍ମାଣକାରୀ ସଂସ୍ଥା ବାୟୋଲଜିକାଲ-ଇ ପକ୍ଷରୁ ସୂଚନା ଦିଆଯାଇଛି ।
ସେପଟେ ଏହି ବର୍ଗର ରାଜ୍ୟର ପ୍ରାୟ ୧୫.୨୧ଲକ୍ଷ ପିଲା କୋଭିଡ୍ ଟିକା ନେବେ ।




admin 