ଆଜି ପବିତ୍ର ନୀଳାଦ୍ରି ବିଜେ, ଶ୍ରୀ ମନ୍ଦିରକୁ ପ୍ରବେଶ କରିବେ ମହାପ୍ରଭୁ
ଆଜି ପବିତ୍ର ନୀଳାଦ୍ରି ବିଜେ, ଶ୍ରୀ ମନ୍ଦିରକୁ ପ୍ରବେଶ କରିବେ ମହାପ୍ରଭୁ
ପୁରୀ: ଅପେକ୍ଷାରେ ଶ୍ରୀମନ୍ଦିର । ଅପେକ୍ଷାରେ ମା’ ଲକ୍ଷ୍ମୀ । ନଅ ଦିନର ଯାତ୍ରା ପରେ ଆଜି ଶ୍ରୀମନ୍ଦିରକୁ ପ୍ରବେଶ କରିବେ ମହାବାହୁ । ଆଜି ପବିତ୍ର ନୀଳାଦ୍ରି ବିଜେ । ନୀଳକନ୍ଦରକୁ ଫେରିବେ ମହାପ୍ରଭୁ । ରତ୍ନସିଂହାସନରେ ବିରାଜିତ ହେବେ ଶ୍ରୀଜିଉ । ଆଜି ହେଉଛି ମହାପ୍ରଭୁଙ୍କ ପତିତପାବନ ଯାତ୍ରାର ଶେଷ ଦିନ ଯାହାକୁ ନୀଳାଦ୍ରିବିଜେ କୁହାଯାଏ । ରଥାରୁଢ଼ ଶ୍ରୀଜିଉ ପୁଣି ଗୋଟି ପହଣ୍ଡିରେ ଶ୍ରୀମନ୍ଦିର ରତ୍ନମଣ୍ଡପକୁ ବିଜେ କରିବେ ।
ସକାଳୁ ରଥ ଉପରେ ମହାପ୍ରଭୁଙ୍କ ମଙ୍ଗଳଆଳତୀ, ମଇଲମ, ସକାଳ ଧୂପ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଆଳତୀ ଓ ସନ୍ଧ୍ୟା ଧୂପ ଶେଷ ହେବା ପରେ ଚାରମାଳ ବନ୍ଧାଯାଇ ଆରମ୍ଭ ହେବ ମହାପ୍ରଭୁଙ୍କ ଗୋଟି ପହଣ୍ଡି । ଏତେ ଦିନ ଧରି ମାନ କରି ରହିଥିବା ମା’ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଦେଇ ମହାପ୍ରଭୁଙ୍କ ମାନଭଞ୍ଜନ କରିବେ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ୪ଟାରେ ପହଣ୍ଡି ଆରମ୍ଭ ହୋଇ ରାତି ୧୦ରେ ଶେଷ ହେବ । ଗତକାଲି ସନ୍ଧ୍ୟାରେ ତିନି ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି ପରମ୍ପରା ଅନୁଯାୟୀ ଅନୁଷ୍ଠିତ ହୋଇଛି । ନୀଳାଦ୍ରିବିଜେ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି ।