ଆଜି ଅଲ୍‌ ଇଣ୍ଡିଆ କଂଗ୍ରେସ କମିଟି ସଭାପତି ଭୋଟ ଗଣନା

ଆଜି ଅଲ୍‌ ଇଣ୍ଡିଆ କଂଗ୍ରେସ କମିଟି ସଭାପତି ଭୋଟ ଗଣନା

ଆଜି ଅଲ୍‌ ଇଣ୍ଡିଆ କଂଗ୍ରେସ କମିଟି ସଭାପତି ଭୋଟ ଗଣନା


ଭୁବନେଶ୍ୱର : ବୁଧବାର ଅଲ୍‌ ଇଣ୍ଡିଆ କଂଗ୍ରେସ କମିଟି(ଏଆଇସିସି) ସଭାପତି ପାଇଁ ହୋଇଥିବା ଭୋଟ ଗଣନା କରାଯିବ । ଗଣତି ପରେ ଅପରାହ୍ଣ ୩ଟା ସୁଦ୍ଧା ଫଳ ଘୋଷଣା ହେବ ବୋଲି ବରିଷ୍ଠ କଂଗ୍ରେସ ନେତା ସୂଚନା ଦେଇଛନ୍ତି । ନୂଆ ଏଆଇସିସି ସଭାପତି ଲେଖିବେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଭାଗ୍ୟ । ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେ ହୁଅନ୍ତୁ କିମ୍ବା ଶଶୀ ଥରୁର । ଯିଏ ସଭାପତି ହେବେ ସେ ନୂଆ ପିସିସି ସଭାପତି ବାଛିବେ ।

ଓଡ଼ିଶାରେ ପିସିସି ସଭାପତି ପାଇଁ ହେବନି ନିର୍ବାଚନ । ପିସିସି ପକ୍ଷରୁ ହାଇକମାଣ୍ଡ ବା ଏଆଇସିସି ସଭାପତିଙ୍କୁ ଏଭଳି କ୍ଷମତା ଦିଆଯାଇଛି । ସଦସ୍ୟମାନେ ଏକଜୁଟ୍‌ ହୋଇ ତାଙ୍କ ହାତରେ ନିଷ୍ପତ୍ତି ଛାଡ଼ିଛନ୍ତି । ଏ ନେଇ ସର୍ବସମ୍ମତ ପ୍ରସ୍ତାବକୁ ଦସ୍ତଖତ କରି ଏଆଇସିସିକୁ ପଠାଇ ସାରିଛନ୍ତି । ଗଣମାଧ୍ୟମ ଦେଉଥିବା ସର୍ଭେ ବା ଆକଳନ ଅନୁସାରେ ଶ୍ରୀ ଖଡ୍‌ଗେଙ୍କ ସପକ୍ଷରେ ସାରା ଦେଶରେ ଅଧିକ ଭୋଟ୍‌ ଯିବ । ସେ ହିଁ ନୂଆ ଏଆଇସିସି ସଭାପତି ହେବେ ବୋଲି ଅଧିକାଂଶ ଗଣମାଧ୍ୟମ ପୂର୍ବାନୁମାନ କରିଛନ୍ତି ।

ନୂଆ ଏଆଇସିସି ସଭାପତି ଚାହିଁଲେ ବର୍ତ୍ତମାନ ପିସିସି ସଭାପତି ଥିବା ଶରତ ପଟ୍ଟନାୟକଙ୍କୁ ପୁଣି ପିସିସି ସଭାପତି ଭାବେ ମନୋନୀତ କରିପାରନ୍ତି । ନଚେତ୍‌ ଅନ୍ୟ କୌଣସି ନେତାଙ୍କୁ ମଧ୍ୟ ପିସିସି ସଭାପତି ଭାବେ ନିଯୁକ୍ତି ଦେଇପାରନ୍ତି । ତେବେ ଅଳ୍ପ ଦିନ ହେବ ଶରତ ପିସିସି ସଭାପତି ହୋଇଥିବାରୁ, ତାଙ୍କୁ ପରିବର୍ତ୍ତନ ନ କରି ଦାୟିତ୍ୱ ଦିଆଯିବ ବୋଲି ବରିଷ୍ଠ କଂଗ୍ରେସ ନେତା ସୂଚନା ଦେଇଛନ୍ତି । ଶରତ ଦାୟିତ୍ୱ ନେବା ପରେ ଓଡ଼ିଶା କଂଗ୍ରେସର ବିଭିନ୍ନ ଗୋଷ୍ଠୀଙ୍କୁ ଏକଜୁଟ୍‌ କରି ଚାଲିଥିବାରୁ ବିଶେଷ ଅସୁବିଧା ହେବନି ବୋଲି ନେତାଜଣକ ଯୁକ୍ତି ବାଢିଛନ୍ତି ।