ଆଉ "ମାଇଁ ଲର୍ଡ" ନୁହେଁ ସାର

ଆଉ "ମାଇଁ ଲର୍ଡ" ନୁହେଁ ସାର

ଆଉ "ମାଇଁ ଲର୍ଡ" ନୁହେଁ ସାର

କଟକ: ଏଣିକି ହାଇକୋର୍ଟର ବିଚାରପତିଙ୍କୁ ଆଉ ମାଇଁ ଲର୍ଡ, ଇୟୋର ଲର୍ଡସିପ୍ ଓ ଇୟୋର ଅନର୍ ସମ୍ବୋଧନ କରିବେନି ଆଇନଜୀବୀ। ଏନେଇ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ଏହା ବଦଳରେ ହାଇକୋର୍ଟରେ ମାମଲା ଶୁଣାଣି ସମୟରେ ବିଚାରପତିଙ୍କୁ ଆଇନଜୀବୀ ଓ ପକ୍ଷମାନେ ‘ସାର୍’ ବୋଲି ସମ୍ବୋଧନ କରି ପାରିବେ।

ଆଜିଠାରୁ ହାଇକୋର୍ଟ ଖୋଲିଥିବା ବେଳେ ପ୍ରକାଶିତ ଚଳିତ ବର୍ଷର ପ୍ରଥମ ସପ୍ତାହିକ ମାମଲା ତାଲିକାରେ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ପାଇଁ ପ୍ରକାଶିତ ତାଲିକାରେ ଏଭଳି ଏହି ଅପିଲ କରାଯାଇଛି। ଏହି ଖଣ୍ଡପୀଠର ବିଚାରପତିଙ୍କୁ ମାଇଁ ଲର୍ଡ, ଇୟୋର ଲର୍ଡସିପ୍, ଇୟୋର ଅନର ଭାବେ ସମ୍ବୋଧନ ନ କରିବାକୁ ଆଇନଜୀବୀ ଓ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହୁଥିବା ପକ୍ଷଙ୍କୁ ଅନୁରୋଧ କରାଯାଇଛି।

 ଏହାସହିତ ସମ୍ବୋଧନ ପୂର୍ବରୁ ଅନରେବଲ ଉପସର୍ଗ ଯୋଗ ନ କରିବାକୁ ଅନୁରୋଧ କରାଯାଇଛି।  ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍ . ମୁରଲୀଧର ଓ ଜଷ୍ଟିସ ଆର. କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ପାଇଁ ପ୍ରକାଶିତ ତାଲିକାରେ ଏ ନେଇ ଉଲ୍ଲେଖ ରହିଛି।

ଖଣ୍ଡପୀଠର ଅନ୍ୟମାନେ ଏହାକୁ କିପରି ଗ୍ରହଣ କରୁଛନ୍ତି, ତାହା ଆଗକୁ ଜଣାପଡ଼ିବ। ଏହା ବିଧିବଦ୍ଧ ନିର୍ଦ୍ଦେଶନାମା ନୁହେଁ। ଚଳିତ ବର୍ଷର ପ୍ରଥମ ସପ୍ତାହିକ ମାମଲା ତାଲିକାରେ ଏହା ଉଲ୍ଲେଖ ଅଛି।