ଅସଦାଚରଣର ଶିକାର ନାବାଳିକାର ଆତ୍ମହତ୍ୟା
ଅସଦାଚରଣର ଶିକାର ନାବାଳିକାର ଆତ୍ମହତ୍ୟା
admin
Jul 31, 2020 - 08:11
Updated: Jul 31, 2020 - 08:11
ଢେ଼ଙ୍କାନାଳ: ଜଣେ ନାବାଳିକାକୁ ବାରମ୍ବାର ଅସଦାଚରଣ କରାଯିବା ଓ ଏ ନେଇ ପୁଲିସରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିଥିବାରୁ ନାବାଳିକା ଜଣକ ଆତ୍ମହତ୍ୟା କରିଥିବା କଥା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଏହି ଘଟଣାରେ ଭାପୁର ଫାଣ୍ଡି ଏଏସଆଇ ପଦ୍ମନାଭ ସାହୁଙ୍କୁ ନିଲମ୍ବିତ କରାଯାଇଥିବା ଜଣାଯାଇଛି । ଢେ଼ଙ୍କାନାଳ ସଦର ବ୍ଲକର ଦୀନବନ୍ଧୁପୁର ଗ୍ରାମର ଜଣେ ନାବାଳିକାଙ୍କୁ ଉକ୍ତ ଗ୍ରାମର ସୁବାସ ମୁଦୁଲି ନାମକ ଜଣେ ବିବାହିତ ଯୁବକ ବାରମ୍ବାର ଅଶାଳୀନ ବ୍ୟବହାର ପ୍ରଦର୍ଶନ କରୁଥିଲା । ଗତ ୧ ତାରିଖରେ ବାପା ମାଆଙ୍କ ଅନୁପସ୍ଥିତିରେ ସୁଯୋଗ ନେଇ ସୁବାସ ତାଙ୍କ ଘରେ ପଶି ସମ୍ପୃକ୍ତ ନାବାଳିକାକୁ ଅସଦାଚରଣ କରିଥିଲା । ଏ ସମ୍ପର୍କରେ ପରିବାର ପକ୍ଷରୁ ଗ୍ରାମସଭାରେ କଥା ପକାଇ ବିଫଳ ହେବା ପରେ ୬ ତାରିଖରେ ଭାପୁର ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ । ମାତ୍ର ଭାପୁର ଫାଣ୍ଡି ଅଧିକାରୀ ଉକ୍ତ ଅଭିଯୁକ୍ତ ସୁବାସକୁ ଫାଣ୍ଡିକୁ ଡାକି ମାମଲାକୁ ରଫାଦଫା କରି ଦେଇଥିବା ଅଭିଯୋଗ ହୋଇଛି । ଥାନାରୁ ମାମଲା ରଫାଦଫା ହେବା ପରେ ସୁବାସ ପ୍ରତିଶୋଧ ପରାୟଣ ହୋଇ ୨୮ ତାରିଖରେ ସମ୍ପୃକ୍ତ ନାବାଳିକାକୁ ପୁନର୍ବାର ଅସଦାଚରଣ କରିଥିଲେ । ଗୋଟି ପଟେ ଗରିବୀ ଓ ଅସହାୟତା ନେଇ ପୀଡ଼ିତା ନାବାଳିକା ତାର ପରିବାର ପୁଲିସ ପକ୍ଷରୁ ଆଶ ତୁଟାଇ ହତାଶ ହୋଇପଡ଼ିଥିଲେ । ପୁଲିସଠୁ ନ୍ୟାୟ ନ ପାଇ ଏହି ନାବାଳିକା ହତାଶ ହୋଇଯିବା ସହ ଲୋକଲଜ୍ଜା ସହ୍ୟ କରିନପାରି ଆତ୍ମହତ୍ୟା କରିଥିବା ମୃତ ନାବାଳିକାର ବଡ଼ ଭଉଣୀ ଓ ପଡୋଶୀମାନେ ଦୁଃଖର ସହିତ ପ୍ରକାଶ କରିଛନ୍ତି । ଜଣେ ନାବାଳିକାର ଏପରି ଆତ୍ମହତ୍ୟାକୁ ନେଇ ତାଙ୍କ ପରିବାର ଓ ଗ୍ରାମବାସୀଙ୍କ ତରଫରୁ ତୀବ୍ର ପ୍ରତିକି୍ରୟା ପ୍ରକାଶ ପାଇଥିବା ବେଳେ ଗ୍ରାମରେ ଉତ୍ତେଜନା ଦେଖାଦେଇଛି ।
ଏ ବାବଦରେ ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଗୁହାରୀ କରି ସମ୍ପୃକ୍ତ ଅଧିକାରୀ ଓ ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ଖବର ପାଇ ସଦର ଥାନା ପୁଲିସ ନାବାଳିକା ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ତଦନ୍ତ ପ୍ରକି୍ରୟା ଜାରି ରହିବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି ।