ଅଲିମ୍ପିକ୍ସ ବିଳମ୍ବ ପାଇଁ ଜାପାନର ୪୫,୦୦୦ କୋଟି କ୍ଷତି

ଅଲିମ୍ପିକ୍ସ ବିଳମ୍ବ ପାଇଁ ଜାପାନର ୪୫,୦୦୦ କୋଟି କ୍ଷତି

ଅଲିମ୍ପିକ୍ସ ବିଳମ୍ବ ପାଇଁ ଜାପାନର ୪୫,୦୦୦ କୋଟି କ୍ଷତି
ଟୋକିଓ: ଟୋକିଓ ଅଲିମ୍ପିକ୍ସ ବର୍ଷେ ଘୁଞ୍ଚିବା ଜାପାନ ଅର୍ଥନୀତିକୁ ଦୋହଲାଇ ଦେବା ଭଳି ସ୍ଥିତି ଆଣି ଦେଇଛି । କେବଳ ଜାପାନ ନୁହେଁ ବିଶ୍ୱର ଅନ୍ୟ ପ୍ରମୁଖ ଅଲିମ୍ପିକ୍ସ ଅଂଶଗ୍ରହଣକାରୀ ଦେଶ ପାଇଁ ମଧ୍ୟ ଆର୍ଥିକ ଝଟକା ଭଳି ହୋଇଛି । ବର୍ଷ ବର୍ଷର ପ୍ରସ୍ତୁତି ଏବଂ ଭିତ୍ତିଭୂମି ଗଢ଼ାର ଖର୍ଚ୍ଚ ଶେଷରେ ଫସର ଫାଟିଯାଇଛି । କେବଳ ଏହି କାରଣରୁ ଜାପାନକୁ ପ୍ରାୟ ୪୫,୦୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି । ମୋଟ ୯୦,୫୩୭ କୋଟି ଟଙ୍କାର ଅଟକଳ ମଧ୍ୟରୁ ଏହି କ୍ଷତି ସହିବାକୁ ପଡ଼ିବ । ତା ମଧ୍ୟରେ ଛୋଟ ବ୍ୟବସାୟୀ, ହୋଟେଲ, ପ୍ରୋ ବେସବଲ ଦଳର ଖର୍ଚ୍ଚ ସାମିଲ ରହିଛି । ଆଧୁନିକ ଅଲିମ୍ପିକ୍ସର ୧୨୪ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ମହାମାରୀ କାରଣରୁ ୪ ବର୍ଷିଆ ପ୍ରତିଯୋଗୀତାକୁ ଗୋଟିଏ ବର୍ଷ ଘୁଞ୍ଚାଇବାକୁ ପଡ଼ିଛି । ନୂଆ ତାରିଖ ଘୋଷଣା ହୋଇଚି । ହେଲେ ମହାମାରୀର ପ୍ରକୋପ ଦୂର ହୋଇନାହିଁ । ଏଥିପାଇଁ ଅଲିମ୍ପିକ୍ସର ପ୍ରଯୋଜକ ଏବଂ ବ୍ୟବସାୟୀମାନେ ଅନିଶ୍ଚିତତା ମଧ୍ୟରେ ରହିଛନ୍ତି । ଅଲିମ୍ପିକ୍ସର ଅର୍ଥନୈତିକ ପ୍ରଭାବ ଉପରେ କାନସାଲ ବିଶ୍ୱବିଦ୍ୟାଳୟ ପକ୍ଷରୁ ହୋଇଥିବା ଏକ ଅନୁଧ୍ୟାନ ପରେ ମୋଟ ୬୪୧ ବିଲିୟନ ୟେନ (୪୫,୦୦୦ କୋଟି ଟଙ୍କା) କ୍ଷତି ହେବ ବୋଲି ପ୍ରଫେସର କାତସୁହିରୋ ମିୟାମୋତୋ ପ୍ରକାଶ କରିଛନ୍ତି । ଅଲିମ୍ପିକ୍ସ ପ୍ରସ୍ତୁତି ଦିଗରେ ଟୋକିଓ ଆୟୋଜକ ପ୍ରାୟ ୧୨ ବିଲିୟନ ଡଲାର ଖର୍ଚ୍ଚ କରିଥିଲା । ବିଳମ୍ବ କାରଣରୁ ସମସ୍ତ ଉପରେ ଅତିରିକ୍ତ ଖର୍ଚ୍ଚ ପଡ଼ିବ ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ୍ସ ସଂଘ (ଆଇଓସି) ଘୋଷଣା କରିସାରିଛି । ଅଲିମ୍ପିକ୍ସ ବିଷୟବସ୍ତୁ ଉପରେ ଆଧାରିତ ‘ଟୋକିଓ ବାନାନା’ କେକ କମ୍ପାନୀ ମଧ୍ୟ କ୍ଷତି ସହିବ ବୋଲି ମଧ୍ୟ ଜଣାପଡ଼ିଛି । ସେହିଭଳି ଅଲିମ୍ପିକ୍ସର ସରକାରୀ ପ୍ରସାରଣକାରୀ ସଂସ୍ଥା ଏନଏଚକେ ଏବଂ ଘରୋଇ ପ୍ରସାରଣକାରୀ ସଂସ୍ଥା ଫୁଜି ଟେଲିଭିଜନ ନେଟୱାର୍କ ସେମାନଙ୍କ କାର୍ଯ୍ୟକ୍ରମକୁ ବାତିଲ କରିଥିବାରୁ ମଧ୍ୟ କୋଟି କୋଟି ୟେନରେ କ୍ଷତି ସହିବେ । ଅନ୍ୟ ୩ଟି ପ୍ରସାରଣକାରୀ ସଂସ୍ଥା ମଧ୍ୟ କାର୍ଯ୍ୟକ୍ରମ ପରିବର୍ତ୍ତନ ନେଇ କୌଣସି କଥା ଶୁଣୁନାହାନ୍ତି ।