ଅମିତ ଶାହଙ୍କ ଘୋଷଣା : ବିହାରରେ ବିଜେପି-ଜେଡିୟୁ ମେଣ୍ଟ କାଏମ ରହିବ

ଅମିତ ଶାହଙ୍କ ଘୋଷଣା : ବିହାରରେ ବିଜେପି-ଜେଡିୟୁ ମେଣ୍ଟ କାଏମ ରହିବ

ଅମିତ ଶାହଙ୍କ ଘୋଷଣା : ବିହାରରେ ବିଜେପି-ଜେଡିୟୁ ମେଣ୍ଟ କାଏମ ରହିବ
ନୀତୀଶଙ୍କ ନେତୃତ୍ୱରେ ଲଢ଼ାଯିବ ବିହାର ବିଧାନସଭା ନିର୍ବାଚନ ନୂଆଦିଲ୍ଲୀ: ବିହାରରେ ବିଜେପି-ଜେଡି(ୟୁ) ମେଣ୍ଟ ଜାରି ରହିବ । ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ହିଁ ୨୦୨୦ ବିହାର ବିଧାନସଭା ନିର୍ବାଚନ ଲଢ଼ାଯିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି କହିବା ପରେ ମେଣ୍ଟକୁ ନେଇ ଦେଖା ଦେଇଥିବା ଅନିଶ୍ଚିତତା ଦୂର ହୋଇଛି । ଉଭୟ ଦଳ ମଧ୍ୟରେ ମତପାର୍ଥକ୍ୟ ଥାଇପାରେ, ମାତ୍ର ଏହା ମେଣ୍ଟ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଶାହ କହିଛନ୍ତି । ଏନଡିଏ ମେଣ୍ଟ ଆସନ୍ତା ବିଧାନସଭା ନିର୍ବାଚନ ନୀତୀଶ କୁମାରଙ୍କ ନେତୃତ୍ୱରେ ହିଁ ଲଢ଼ିବ ବୋଲି ଶାହ ସ୍ପଷ୍ଟ କରିଛନ୍ତି । ଜାତୀୟ ସ୍ତରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱକୁ ଏନଡିଏ ସମ୍ମାନ ଜଣାଇ ଆସୁଛି । ସୂଚନାଯୋଗ୍ୟ, ବିହାର ବନ୍ୟା ମୁକାବିଲା କରିବାରେ ରାଜ୍ୟ ସରକାର ବିଫଳ ହେବା ନେଇ ବିଜେପି ନେତାମାନେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସମାଲୋଚନା କରି ଆସୁଥିଲେ । ଆଗାମୀ ଦିନରେ ମେଣ୍ଟ ରହିବ କି ନାହିଁ ସେ ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା । ଏମିତିକି ଗତ ସପ୍ତାହରେ ପାଟନାର ଗାନ୍ଧୀ ମୈଦାନରେ ଅନୁଷ୍ଠିତ ହୋଇଥିବା ରାବଣ ପୋଡ଼ି ମହୋତ୍ସବରେ ନୀତିଶ କୁମାର ଯୋଗ ଦେଇଥିବାବେଳେ ଉପ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦିଏବଂ ଅନ୍ୟାନ୍ୟ ବିଜେପି ନେତାମାନେ ବର୍ଜନ କରିଥିଲେ । ନୀତୀଶ କୁମାରଙ୍କ ରାବଣପୋଡ଼ି କାର୍ଯ୍ୟକ୍ରମରେ ବିହାର କଂଗ୍ରେସ ମୁଖ୍ୟ ମଦନ ମୋହନ ଝାଙ୍କ ଉପସ୍ଥିତିକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା । ବିଜେପି-ଜେଡି(ୟୁ) ମେଣ୍ଟ ତିଷ୍ଠି ରହିବ କି ନାହିଁ ସନେ୍ଦହ ସୃଷ୍ଟି ହୋଇଥିଲା । ତେବେ ଆଜି ଅମିତ ଶାହଙ୍କ ବୟାନ ଏ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅବସାନ ଘଟିଛି ।