ଅନ୍ତିମ ଦିନିକିଆ ଜିତି ସମ୍ମାନ ରଖିଲା ଭାରତ

ଅନ୍ତିମ ଦିନିକିଆ ଜିତି ସମ୍ମାନ ରଖିଲା ଭାରତ

ଅନ୍ତିମ ଦିନିକିଆ ଜିତି ସମ୍ମାନ ରଖିଲା ଭାରତ
କାନବେରା : ଭାରତ ଅଷ୍ଟ୍ରେଲିଆ ଦିନିକିଆ ସିରିଜର ଅନ୍ତିମ ମ୍ୟାଚକୁ ଜିତି ନେଇଛି ଭାରତ । ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କ ସଫଳତା ଫଳରେ ୩୦୦ ରନ ସଂଗ୍ରହ କରିଥିବା ବିରାଟ କୋହଲିଙ୍କ ଦଳ ମ୍ୟାଚକୁ ୧୩ ରନରେ ଜିତିନେଇଛି । ସିରିଜରେ ପ୍ରଥମ ଥର ପାଇଁ ଭାରତୀୟ ବୋଲର ନିୟମିତ ୱିକେଟ ଅକ୍ତିଆର କରିବାରେ ସକ୍ଷମ ହୋଇଥିଲେ । ଭାରତ ପକ୍ଷରୁ ବ୍ୟାଟିଂରେ ଅଧିନାୟକ କୋହଲି, ହାର୍ଦ୍ଧିକ ପାଣ୍ଡ୍ୟା ଏବଂ ରବୀନ୍ଦ୍ର ଜାଡେଜା ଅର୍ଦ୍ଧଶତକ ହାସଲ କରିଥିଲେ । ପ୍ରଥମ ଥର ପାଇଁ ଟସ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ମୟଙ୍କ ଅଗ୍ରୱାଲଙ୍କ ସ୍ଥାନରେ ଖେଳୁଥିବା ସ୍ଥାନରେ ଖେଳୁଥିବା ଶୁଭମାନ ଗିଲ୍ ୩୩ ରନ ସଂଗ୍ରହ କରିଥିବା ବେଳେ ଧୱନ ପୁନର୍ବାର ନିଜ ୱିକେଟ ଫୋପାଡିଥିଲେ । ଅଧିନାୟକ ବିରାଟ କୋହଲି (୬୩)ଙ୍କ ସହିତ ୫୬ ରନର ଭାଗିଦାରୀ କରି ଦଳୀୟ ସ୍କୋର ୮୨ରେ ଶୁଭମାନ ଗିଲ ଆଉଟ ହୋଇଥିଲେ । କୋହଲି ୭୮ଟି ବଲରୁ ୫ଟି ଚୌକା ସହିତ ୬୩ ରନ କରିଥିବା ବେଳେ ମଧ୍ୟକ୍ରମରେ ଶ୍ରେୟସ ଆୟାର(୧୯) ଏବଂ କେ ଏଲ ରାହୁଲ (୫) ବିଫଳ ହୋଇଥିଲେ । ୩୧ ତମ ଓଭରରେ ଅଧିନାୟକ ବିରାଟ କୋହଲି ଆଉଟ ହେବା ବେଳକୁ ଦଳୀୟ ସ୍କୋର ମାତ୍ର ୧୫୨ ରହିଥିଲା । ଏହାପରେ ବ୍ୟାଟିଂର ସମ୍ପୂର୍ଣ୍ଣ ଦାୟିତ୍ୱ ନିଜ କାନ୍ଧକୁ ନେଇଥିଲେ ହାର୍ଦ୍ଧିକ ପାଣ୍ଡ୍ୟା ଏବଂ ରବୀନ୍ଦ୍ର ଜାଡେଜା । ଦୁଇ ଅଲରାଉଣ୍ଡର ଅର୍ଦ୍ଧଶତକ ହାସଲ କରିଥିବା ବେଳେ ସପ୍ତମ ୱିକେଟରେ ୧୫୦ ରନର ଭାଗିଦାରୀ କରିଥିଲେ । ପାଣ୍ଡ୍ୟା ୭୬ ବଲରୁ ୭ ଚୌକା ଏବଂ ୧ ଛକ୍କା ସହାୟତାରେ ୯୨ ରନ ସଂଗ୍ରହ କରିଥିଲେ । ଅପର ପକ୍ଷରେ ରବୀନ୍ଦ୍ର ଜାଡେଜା ୫୦ ବଲରୁ ୫ ଚୌକା ଏବଂ ୩ ଛକ୍କା ସହାୟତାରେ ୬୬ ରନ ସଂଗ୍ରହ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଆଷ୍ଟନ ଆଗର ୨ଟି ୱିକେଟ ଅକ୍ତିଆର କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଆଡାମ ଜାମ୍ପା, ସିନ ଆବୋଟ ଏବଂ ଜୋସ ହାଜେଲଉଡ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଗତ ଦୁଇ ମ୍ୟାଚରେ ୩୫୦ରୁ ଅଧିକ ରନ କରିଥିବା ଅଷ୍ଟ୍ରେଲିଆ ଏହି ଲକ୍ଷ୍ୟକୁ ସହଜରେ ହାସଲ କରିବା ନେଇ ଆଶା କରାଯାଉଥିଲା । ତେବେ ସିରିଜରେ ପ୍ରଥମ ଥର ପାଇଁ ଭାରତୀୟ ବୋଲର ଲୟରେ ନଜର ଆସିଥିଲେ । ଡେବ୍ୟୁଟାଣ୍ଟ ଟି ନଟରାଜନ ମ୍ୟାଚର ଷଷ୍ଠ ଓଭରରେ ମାର୍ନସ ଲାବୁସେନଙ୍କୁ ଆଉଟ କରି ପ୍ରଥମ ସଫଳତା ହାସ କରିଥିଲେ । ଗତ ଦୁଇ ମ୍ୟାଚର ଶତକ ହାସଲ କାରୀ ଷ୍ଟିଭ ସ୍ମିଥଙ୍କ ପ୍ରାଇଜ ୱିକେଟ ହାସଲ କରିଥିଲେ ଶାର୍ଦ୍ଧୁଲ ଠାକୁର । ଅଧିନାୟକ ଆରୋନ ଫିଞ୍ଚ ୭୫ ରନ ସଂଗ୍ରହ କରିଥିଲେ ମଧ୍ୟ ଅପର ପକ୍ଷରୁ ନିୟମିତ ୱିକେଟ ପତନ ଘଟିଥିଲା । ହେନରିକ୍ସ(୨୨), କ୍ୟାମେରନ ଗ୍ରୀନ(୨୧), ଆଲେକ୍ସ କେରୀ(୩୮), ଆଷ୍ଟନ ଆଗର(୨୮) ପ୍ରମୁଖ ଭଲ ଆରମ୍ଭ ପାଇଥିଲେ ମଧ୍ୟ ଏହାକୁ ବଡ ସ୍କୋରରେ ରୂପାନ୍ତରିତ କରି ପାରିନଥିଲେ । ବିପଜ୍ଜନକ ମ୍ୟାକ୍ସୱେଲ ୩୯ ବଲରୁ ୩ ଚୌକା ଏବଂ ୪ ଛକ୍କା ସହାୟତାରେ ୫୮ ରନ ସଂଗ୍ରହ କରିଥିଲେ । ଆଗରଙ୍କ ସହିତ ୫୮ ରନର ଭାଗିଦାରୀ ମ୍ୟାଚ ଛଡାଇନେବା ଭଳି ଲାଗୁଥିଲେ ମଧ୍ୟ ବୁମରାଙ୍କ ୟର୍କରରେ ହାର ମାନିଥିଲେ ମ୍ୟାକ୍ସୱେଲ । ଭାରତ ପକ୍ଷରୁ ଶାର୍ଦ୍ଧୁଲ ଠାକୁର ୫୧ ରନ ବିନିମୟରେ ୩ଟି ୱିକେଟ ଅକ୍ତିଆର କରିଥିଲେ । ଡେବ୍ୟୁଟାଣ୍ଟ ଟି ନଟରାଜନ ଏବଂ ଯଶପ୍ରୀତ ବୁମରା ପ୍ରତ୍ୟୋକ ଦୁଇଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଦୁଇ ସ୍ପିନର ପରସ୍ପର ମଧ୍ୟରେ ଦୁଇଟି ୱିକେଟ ବାଣ୍ଟି ନେଇଥିଲେ । ହାର୍ଦିକ ପାଣ୍ଡ୍ୟାଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ଏବଂ ଷ୍ଟିଭ ସ୍ମିଥଙ୍କୁ ସିରିଜର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା ।