ଅନନ୍ୟାଙ୍କୁ ଚାରିଘଣ୍ଟା ଜେରା
ଅନନ୍ୟାଙ୍କୁ ଚାରିଘଣ୍ଟା ଜେରା
ମୁମ୍ବାଇ: ଡ୍ରଗ୍ସ ଲିଙ୍କ ଘଟଣାରେ ଫସିଥିବା ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ଲଗାତାର ଦୁଇ ଦିନ ହେବ ଜେରା କରିଛି ଏନସିବି। ଆଜି ମଧ୍ୟାହ୍ନରେ ମୁମ୍ବାଇ ସ୍ଥିତ ଏନସିବି ଅଫିସରେ ପହଞ୍ଚିଥିଲେ ଅନନ୍ୟା। ସାଥିରେ ତାଙ୍କ ବାପା ତଥା ଅଭିନେତା ଚଙ୍କି ପାଣ୍ଡେ ବି ଏନସିବି ଦପ୍ତରକୁ ଆସିଥିଲେ। ଚଙ୍କି ବାହାରେ ଅପେକ୍ଷା କରିଥିବାବେଳେ ଅନନ୍ୟାଙ୍କୁ ଦୀର୍ଘ ୪ ଘଣ୍ଟା କାଳ ଡ୍ରଗ୍ସ କାରବାର ସହ ତାଙ୍କର ଲିଙ୍କ ବିଷୟରେ ପଚରାଉଚରା କରିଥିଲା ଏନସିବି।
ଏନସିବିର ଜୋନାଲ ମୁଖ୍ୟ ସମୀର ୱାଙ୍ଖେଡେ ନିଜେ ଅନନ୍ୟାଙ୍କୁ ଜେରା କରିଥିଲେ। ଏହି ସମୟରେ ତଦନ୍ତକାରୀ ଅଧିକାରୀ ଭିଭି ସିଂହ ଓ ଆଉ ଜଣେ ମହିଳା ଏନସିବି ଅଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ। ଅନନ୍ୟାଙ୍କ ବାପା ଚଙ୍କି ପାଣ୍ଡେ ଏନସିବି ଅଫିସରେ ରହିଥିଲେ ମଧ୍ୟ ତାଙ୍କୁ କ୍ୟାବିନ ମଧ୍ୟକୁ ଛଡ଼ା ଯାଇ ନଥିଲା। ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ସହ ଅନନ୍ୟାଙ୍କ ହ୍ୱାଟ୍ସଆପ ଚାଟରେ ଡ୍ରଗ୍ସ ଓ ଗଂଜେଇ ବାବଦରେ କଣ କଥା ହେଇଥିଲେ? ଏଥିରେ ଅନନ୍ୟାଙ୍କ ଭୂମିକା କଣ? ଅନନ୍ୟାଙ୍କ ସମ୍ପୃକ୍ତି ବାବଦରେ ଏନସିବି ତନାଘନା ଜେରା କରିଥିଲେ। ଆର୍ଯ୍ୟନଙ୍କୁ ଅନନ୍ୟା ଗଂଜେଇ ଯୋଗାଇଥିଲେ କି? ଏ ସବୁ ବାବଦରେ ପ୍ରଶ୍ନ ପଚରା ଯାଇଥିଲା। ସବୁ ଅଭିଯୋଗକୁ ଅନନ୍ୟା ଖଣ୍ଡନ କରିବା ସହ ମଜାକରେ ଏଭଳି ଚାଟ କରିଥିବା ଏନସିବିକୁ କହିଥିବା ଖବର ମିଳିଛି। ମାତ୍ର ଏନସିବି ଅନନ୍ୟାଙ୍କୁ ଏତେ ସହଜରେ ବିଶ୍ୱାସ କରିନି। ତାଙ୍କୁ ଆଗକୁ ଆହୁରି ଜେରାର ସମ୍ମୁଖୀନ ହେବାକୁ ପଡ଼ିପାରେ। ୪ ଘଣ୍ଟା କାଳ ଜେରା ପରେ ସନ୍ଧ୍ୟା ପ୍ରାୟ ୬.୩୦ରେ ଅନନ୍ୟା ଏନସିବି ଅଫିସରୁ ବାହାରି ନିଜ ବାସଭବନକୁ ଯାଇଥିଲେ।