ଅନୁଗୁଳ ଗସ୍ତରେ ୫-ଟି ସଚିବ

ଅନୁଗୁଳ ଗସ୍ତରେ ୫-ଟି ସଚିବ

ଅନୁଗୁଳ: ସୋମବାର ଠାରୁ ଦୁଇ ଦିନିଆ ଅନୁଗୁଳ ଜିଲ୍ଲା ଗସ୍ତରେ ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ । ଏହି ଗସ୍ତ ଅବସରରେ ଜିଲ୍ଲାର ୫ଟି ଯାକ ବିଧାନସଭା କ୍ଷେତ୍ରରେ ୨୦ରୁ ଅଧିକ କାର୍ୟ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡ଼ିଛି । ଶ୍ରୀ ପାଣ୍ଡିଆନ୍‌ ହେଲିକପ୍ଟର୍‌ରେ ଆସି ଗୋପାଳପ୍ରସାଦସ୍ଥିତ ହିଙ୍ଗୁଳା ମନ୍ଦିର ନିକଟସ୍ଥ ହେଲିପ୍ୟାଡ୍‌ରେ ଅବତରଣ କରିବା ପରେ ମା’ଙ୍କ ଦର୍ଶନ କରିବେ । ମନ୍ଦିର ଉନ୍ନତି ପ୍ରସଙ୍ଗରେ ଆଲୋଚନା କରିବେ । ପରେ ତାଳଚେର କଲେଜ ପଡ଼ିଆରେ ଜନ ଅଭିଯୋଗ ଶୁଣିବେ । ସେଠାରେ ଛେଣ୍ଡିପଦା ବ୍ଲ୍‌କ୍‌ ପାତ୍ରପଡ଼ା ବାୟାଣୀ ପୀଠରେ ଦର୍ଶନ କରିବା ସହ ପୀଠର ବିକାଶ ପ୍ରସଙ୍ଗରେ ଆଲୋଚନା କରି ସଡ଼କ ପଥରେ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ, ଷ୍ଟାଡିୟମ୍‌ଠାରେ ଆୟୋଜିତ ଜନ ଅଭିଯୋଗ ପ୍ରତିକାର ସଭାରେ ସମ୍ବୋଧିତ କରି ମଧ୍ୟାହ୍ନ ପ୍ରାୟ ୧ଟା ବେଳେ ବନ୍ତଳା ଅଭିମୁଖେ ବାହାରିବେ ।

ବନ୍ତଳାରେ ସଭା ପରେ ଅପରାହ୍ଣ ପ୍ରାୟ ୩ଟା ବେଳେ ଅନୁଗୁଳ ବିଜୁ ମୈଦାନଠାରେ କଲେଜ ଛାତ୍ରଛାତ୍ରୀଙ୍କ ଭାବବିନିମୟ କରିବେ ଶ୍ରୀ ପାଣ୍ଡିଆନ୍‌ । ସେହିପରି ଅପରାହ୍ଣ ୪ଟା ବେଳେ ପିଟିସି ପଡ଼ିଆରେ ମିଶନ୍‌ ଶକ୍ତି ଗୋଷ୍ଠୀକୁ ୫-ଟି ସଚିବ ସମ୍ବୋଧିତ କରିବେ । ପରେ ପରେ ଏଆର୍‌ସି, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ବ୍ଲାକ୍‌ ଡାଏମଣ୍ଡ୍‌ ପରିଦର୍ଶନ କରିବାର କାର୍ୟ୍ୟକ୍ରମ ରହିଛି । ୫-ଟି ସଚିବଙ୍କ ଗସ୍ତ କାର୍ୟ୍ୟକ୍ରମ ନେଇ ପ୍ରଶାସନିକ ସ୍ତରରେ ଜୋର୍‌ଦାର ପ୍ରସ୍ତୁତି ହୋଇଛି।