ଶୈବପୀଠରେ କାଉଡିଆଙ୍କ ଭିଡ

ଶୈବପୀଠରେ କାଉଡିଆଙ୍କ ଭିଡ

ଭୁବନେଶ୍ୱର: ଆଜି ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର । ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ସମସ୍ତ ଶୈବପୀଠ । ଦେବ ଦେବ ମହାଦେବଙ୍କ ନିକଟରେ ଜଳଲାଗି କରି ନିଜ ମନସ୍କାମନା ପୂରଣ ପାଇଁ ଶୈବପୀଠରେ କାଉଡିଆଙ୍କ ଭିଡ ଲାଗିଛି । ଓଡ଼ିଶା ପ୍ରମୁଖ ଶୈବପୀଠ ଯାଥା ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର, ପୁରୀର ବାବ ଲୋକନାଥ ମନ୍ଦିର, ଆଠଗଡ଼ ବାବା ଧବଳେଶ୍ବରଙ୍କ ସହ ନେଇ ଛୋଟ ବଡ଼ ଶୖେବପୀଠରେକାଉଡିଆଙ୍କ ଭିଡ ଦେଖିବାକୁ ମିଳିଥିଲା ।

ପୁରୀର ପ୍ରସିଦ୍ଧ ଶ୍ରୀଲୋକନାଥ ଦେବଙ୍କ ପୀଠରେ ବୋଲବମ୍ ଭକ୍ତଙ୍କ ଭିଡ଼ ଲାଗିଛି। ବିଳମ୍ବିତ ରାତିରୁ ଦ୍ୱାରଫିଟା,ସକାଳ ଧୂପ ଓ ମଙ୍ଗଳ ଆଳତି ପରେ ଜଳଲାଗି ଆରମ୍ଭ ହୋଇଛି । ରାତିରେ ଶ୍ରୀଲୋକନାଥଙ୍କ ପହୁଡ଼ ପରେ କାଉଡ଼ିଆ ଭକ୍ତମାନେ ପାଣି ଢାଳିଥିଲେ ।ଶ୍ରାବଣୀ ପାଇଁ ଏକାମ୍ର ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଲିଙ୍ଗରାଜଙ୍କ ଜଳାଭିଷେକ ପାଇଁ ଲାଗିଛି କାଉଡିଆଙ୍କ ଲମ୍ବା ଧାଡି। ଭୋରରୁ ଜଳଲାଗି କରୁଛନ୍ତି ବୋଲବମ୍ ଭକ୍ତ। କାଉଡିଆଙ୍କ ସୁରକ୍ଷା ଲାଗି କମିଶନରେଟ୍ ପୋଲିସ ସ୍ବତନ୍ତ୍ର ବ୍ୟବସ୍ଥା କରିଛି । ଲିଙ୍ଗରାଜ ମନ୍ଦିର ବ୍ୟତିତ ଏକାମ୍ର କ୍ଷେତ୍ରର ଭାସ୍କରେଶ୍ବର, ମେଘେଶ୍ବର, ମୁକ୍ତେଶ୍ବର, ବ୍ରହ୍ମେଶ୍ବର ଭଳି ଶିବାଳୟରେ ମଧ୍ୟ ଶ୍ରଦ୍ଧାଳୁ ଜଳଲାଗି କରୁଛନ୍ତି ।


ନୟାଗଡର ପ୍ରସିଦ୍ଧ ଶୈବପୀଠ ଶରଣକୂଳର ଲଡୁବାବାଙ୍କ ପୀଠରେ ସକାଳୁ ସକାଳୁ ୪ହଜାରରୁ ଅଧିକ କାଉଡିଆ ଜଳଲାଗି କରିସାରିଲେଣି । ରାତି ଗୋଟାଏରେ ମନ୍ଦିର ଖୋଲାଯିବା ପରେ ଠାକୁରଙ୍କ ନୀତିକାନ୍ତି କରାଯାଇ ରାତି ୨ଟାରୁ ଜଳଲାଗି ଆରମ୍ଭ ହୋଇଛି। ସେହିପରି ଆଠଗଡର ପ୍ରସିଦ୍ଧ ଧବଳେଶ୍ବର ପୀଠରେ ମଧ୍ୟ କାଉିଡିଆମାନେ ମନସ୍କାମନା ପୂରଣ ପାଇଁ ବାବା ଧବଳେଶ୍ବରଙ୍କୁ ଜଳଲାଗି କରିଛନ୍ତି।