ଆଜି ୮ ଜିଲ୍ଲାରେ ବର୍ଷିବ
ଭୁବନେଶ୍ୱର: ରାଜ୍ୟର କିଛିକିଛି ସ୍ଥାନରେ ଭାରୀ ବର୍ଷା ହେବ । ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷିପାରେ । କିନ୍ତୁ ବାକି ଅଞ୍ଚଳରେ ବର୍ଷାର ଦେଖା ମିଳିବନି ।ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ ଅନୁସାରେ, ୧୦ ତାରିଖରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବରଗଡ଼ ଓ ଦେବଗଡ଼ ଜିଲ୍ଲାରେ ଭାରୀ ବର୍ଷା ହୋଇପାରେ । ଉତ୍ତର ଉପକୂଳ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କହୁଛି, ୧୦ ତାରିଖରେ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା ନାହିଁ । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ । ୧୧ରେ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ କନ୍ଧମାଳ ଜିଲ୍ଲାରେ ଅଧିକ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି । ଆଉ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।
ପାଣିପାଗ ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ୧୧ ତାରିଖ ପରେ ରାଜ୍ୟରେ ବର୍ଷାର ବିସ୍ତୃତି ବଢ଼ିବ । ମୌସୁମୀର ନିମ୍ନ ଚାପରେଖା କ୍ଷେତ୍ର ପୁଣି ତଳକୁ ଆସିବ । ଏହା ପ୍ରଭାବରେ ଏକ ଘୂର୍ଣ୍ଣିବଳୟ ବି ସୃଷ୍ଟି ହୋଇପାରେ । ଏହା ବର୍ଷା କରାଇବ । ୧୨ ଓ ୧୩ରେ ଫେୟାରଲି ୱାଇଡ୍ ସ୍ପ୍ରେଡ୍ ବା ଅଧିକ ବିସ୍ତୃତ ଅଞ୍ଚଳରେ ବର୍ଷା ହେବ ବୋଲି ଆଇଏମ୍ଡି ମଧ୍ୟ ପୂର୍ବାନୁମାନ କରିଛି ।




user1 