ଅତିରିକ୍ତ ଏସପି ତ୍ରିନାଥଙ୍କୁ ବାଧ୍ୟତାମୂଳକ ଅବସର
ଅତିରିକ୍ତ ଏସପି ତ୍ରିନାଥଙ୍କୁ ବାଧ୍ୟତାମୂଳକ ଅବସର
admin
Feb 21, 2022 - 19:35
Updated: Feb 21, 2022 - 19:35
ଭୁବନେଶ୍ୱର: ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟସରକାର । ନିକଟରେ ଏଏସପି ତ୍ରିନାଥ ମିଶ୍ରଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଥିଲା ଭିଜିଲାନ୍ସ । ୨୨ ଘଂଟା ଚଢାଉରେ ୨୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଆକଳନ କରିଥିଲା ଭିଜିଲାନ୍ସ ।
ସୂଚନାନୁସାରେ, ତ୍ରିନାଥ ମିଶ୍ର ୧୯୮୫ ମସିହାରେ ଓଡ଼ିଶା ପୁଲିସରେ ଏସ୍ଆଇ ଭାବେ ନିଜର କ୍ୟାରିଅର୍ ଆରମ୍ଭ କରି ୩୭ବର୍ଷର ଚାକିରି କାଳରେ ବର୍ତ୍ତମାନ ଅତିରିକ୍ତ ଏସ୍ପି ଭାବେ କାର୍ୟ୍ୟରତ ଅଛନ୍ତି । ଆଉ ମାତ୍ର ଦୁଇମାସ ପରେ ସେ ଏସ୍ପି ପାହ୍ୟାକୁ ପଦୋନ୍ନତି ପାଇ ୨୦୨୩ରେ ଅବସର ନେଇଥାନ୍ତେ । ତେବେ ଅବସରର ବର୍ଷକ ପୂର୍ବରୁ ଶ୍ରୀ ମିଶ୍ର ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି । ଶ୍ରୀ ମିଶ୍ରଙ୍କ ଅମାପ ସମ୍ପତ୍ତି ତାଙ୍କୁ ବିବାଦୀୟ କରିପକାଇବା ସହ ତାଙ୍କ ରୋଜଗାରକୁ ସନ୍ଦେହ ଘେରକୁ ନେଇ ଯାଇଛି । ଶ୍ରୀ ମିଶ୍ର ଯାଜପୁର ଜିଲ୍ଲାର ବିଭିନ୍ନ ଥାନାରେ କାମ କରି ପରବର୍ତ୍ତୀ ସମୟରେ ସାଲେପୁର ଥାନାର ଭାରପ୍ରାପ୍ତ ଅଧିକାରୀ ଭାବେ କାମ କରିଥିଲେ ।
ସାଲେପୁରରେ ହିଁ ସେ ଇନ୍ସପେକ୍ଟର୍ ପାହ୍ୟାକୁ ପଦୋନ୍ନତି ପାଇଥିଲେ। କିଛିବର୍ଷ ପାଇଁ ସେ ଗଂଜାମ ଜିଲ୍ଲାର ଜରଡ଼ା ଓ ଅନ୍ୟ ଥାନାରେ ଆଇଆଇସି ଭାବେ କାମ କରିବା ପରେ କଟକ ଜିଆର୍ପି ଥାନା ଅଧିକାରୀ ହୋଇଥିଲେ । ପଦୋନ୍ନତି ପାଇ କଟକ କମିସନରେଟ୍ ପୁଲିସର ଜୋନ୍-୧ ରେ ଏସିପି ଓ ପରେ ପରେ କମିସନରେଟ୍ ପୁଲିସର ଅତିରିକ୍ତ ଡିସିପି ଭାବେ କାମ କରୁଥିଲେ । ୨୦୨୧ ଡିସେମ୍ବର ମାସରେ ସେ ସିଗନାଲ୍ ବିଭାଗରେ ଅତିରିକ୍ତ ଏସ୍ପି ଭାବେ ଯୋଗଦେଇଥିଲେ । ଆସନ୍ତା ଦୁଇମାସ ପରେ ସେ ଏସ୍ପି ପାହ୍ୟାକୁ ପଦୋନ୍ନତି ପାଇଥାନ୍ତେ । ଆସନ୍ତା ୨୦୨୩ରେ ସେ ଅବସର ନେଇଥାନ୍ତେ ।