ଅତିଥି କକ୍ଷ ସଜେଇବା ପାଇଁ କିଛି ଟିପ୍ସ......
ଅତିଥି କକ୍ଷ ସଜେଇବା ପାଇଁ କିଛି ଟିପ୍ସ......
admin
May 17, 2021 - 12:40
Updated: May 17, 2021 - 12:40
ଘରେ ଅତିଥି ମାନଙ୍କ ପାଇଁ ଉଦ୍ଧିଷ୍ଟ କକ୍ଷଟି ସ୍ୱାତନ୍ତ୍ର୍ୟ ବହନ କରିଥାଏ । ଯେମିତି ଖୁସିରେ ଅତିଥିଙ୍କୁ ସ୍ୱାଗତ କରାଯାଏ ସେହି ଉତ୍ସାହରେ ସେମାନଙ୍କ ପାଇଁ ରଖିଥିବା କକ୍ଷଟି ସଜାଇଥିଲେ ଅତିଥି ସେଠାରେ ଆଦୌ ଅସହଜ ବୋଧ କରିବେ ନାହିଁ । ଅତିଥି କକ୍ଷଟି ଯେପରି ଆରାମଦାୟକ ହୋଇଥିବ, ଏକଥା ସବୁବେଳେ ଲକ୍ଷ୍ୟ ରଖିଥିବା ଉଚିତ । ଏଥିପାଇଁ କେତୋଟି ଦିଗ ପ୍ରତି ଦୃଷ୍ଟି ଦିଅନ୍ତୁ ।
ଅତିଥି କକ୍ଷ ସବୁବେଳେ ଈଷତ ଧଳା, କି୍ରମ, ହାଲକା ନୀଳ ଆଦି ରଙ୍ଗରେ ସଜାଇଥିଲେ ଭଲ । ପ୍ରାୟତଃ ଅତିଥି ଦୂରଯାତ୍ରା କରି କ୍ଲାନ୍ତ ହୋଇ ଆସିଥାନ୍ତି । ତେଣୁ ହାଲକା ରଙ୍ଗ ତାଙ୍କ ଆଖିକୁ ଆରାମ ଦେଇଥାଏ । କକ୍ଷରେ ବ୍ୟବହୃତ ଚାଦର, ପରଦା ଆଦି ଏକା ରଙ୍ଗର ହେଲେ କକ୍ଷଟି ଆହୁରି ସୁନ୍ଦର ଦେଖାଯିବ ।
ସାଜସଜ୍ଜା ଏପରି ହେବା ଉଚିତ ଯେମିତି ତାହା ହୋଟେଲ ରୁମ ପରି ନ ଲାଗି ଘରୋଇ ଦେଖାଯାଉଥିବ । ଅଧିକ ଫର୍ଣ୍ଣିଚର ନ ରଖି ଫାଙ୍କା ଜାଗା ରଖନ୍ତୁ ଯେମିତି କି ତା ଭିତରେ ଚଳାଚଳ କରିବାରେ ଅତିଥିଙ୍କର କୌଣସି ସମସ୍ୟା ହେବ ନାହିଁ ଏବଂ କକ୍ଷଟି ଖୋଲା ଲାଗୁଥିବ ।
ଘରର କୌଣସି ପୁରୁଣା ବା ଅବ୍ୟବହୃତ ଜିନିଷ ଗେଷ୍ଟରୁମରେ ରଖି ଏହାକୁ ଷ୍ଟୋରରୁମ କରନ୍ତୁ ନାହିଁ । ଏହାକୁ ଫାଙ୍କା ରଖନ୍ତୁ । ଅତିଥି ତାଙ୍କ ପୋଷାକ ପତ୍ର ତଥା ଅନ୍ୟାନ୍ୟ ଜିନିଷ ରଖିବା ଲାଗି ସେଠାରେ ଏକ ଆଲମାରୀ ରଖିବା ଜରୁରୀ । ଏହା ଡ୍ରେସିଂ ଟେବୁଲ ସହ ଲାଗି ରହିପାରେ ନଚେତ ଏକ ବଡ଼ ଦର୍ପଣ ଥିବା ଆଲମାରୀ ମଧ୍ୟ ରଖାଯାଇପାରେ । ଅତିଥି ବାହାରକୁ ଯିବା ବେଳେ ଏହି ଦର୍ପଣ ତାଙ୍କୁ ପ୍ରସ୍ତୁତ ହେବାରେ ସାହାଯ୍ୟ କରିବ ।
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସେହି କକ୍ଷଟି ଯେପରି ଅନ୍ଧାରୁଆ ନ ହୋଇ ଭଲ ଭାବେ ଆଲୋକିତ ହୋଇପାରୁଥିବ । ନାଇଟ ଲ୍ୟାମ୍ପର ବି ବ୍ୟବସ୍ଥା କରାଯାଇପାରେ ।