କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ: ଦିଲ୍ଲୀ ପୁଲିସ୍‌ କାର୍ଯ୍ୟାନୁ‌ଷ୍ଠାନ

କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ: ଦିଲ୍ଲୀ ପୁଲିସ୍‌ କାର୍ଯ୍ୟାନୁ‌ଷ୍ଠାନ

ନୂଆଦିଲ୍ଳୀ: କୁସ୍ତି ସଂଘର ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୂଷଣଙ୍କ ବିରୋଧରେ ‌ଥିବା ଯୌନ ଉତ୍ପୀଡ଼ନ ମାମଲା‌ରେ ଦିଲ୍ଲୀ ପୁଲିସ୍‌ କାର୍ଯ୍ୟାନୁ‌ଷ୍ଠାନ ତ୍ବରାନ୍ବିତ କରିଛି। ଦିଲ୍ଳୀ ପୁଲିସ୍‌ର ଏକ ଟିମ୍‌ ସୋମବାର ରାତିରେ ବ୍ରିଜଭୂଷଣଙ୍କର ଲକ୍ଷ୍ନୌ ଏବଂ ଗୋଣ୍ଡ‌ାସ୍ଥିତ ଘରେ ପହଞ୍ଚି ତାଙ୍କ ପରିବାରର ୧୨ ଜଣଙ୍କ ବୟାନ ରେକର୍ଡ କରିଛି। ପୁଲିସ୍‌ ସେଠାରେ ପହଞ୍ଚି ତାଙ୍କ ପରିବାର ସଦସ୍ୟ ଓ ତ‌ାଙ୍କ ଘରେ କାମ କରୁଥିବା ଲୋକଙ୍କ ନାମ, ଠିକଣା ଏବଂ ପ୍ରମାଣପତ୍ର ଯୋଗାଡ଼ କରିଛି। ଏହା ପରେ ପୁଲିସ୍‌ ଟିମ୍‌ ପୁଣି ଦିଲ୍ଲୀ ଫେରି ଯାଇଥିବା ସୂଚନା ରହିଛି।

ଗତ କିଛିମାସ ହେଲା ଭାରତୀୟ କୁସ୍ତିଯୋଦ୍ଧାମାନେ ଭାରତୀୟ କୁସ୍ତିଯୋଦ୍ଧା ସଂଘ (ଡବ୍ଲୁଏଫ୍‌ଆଇ) ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂହଙ୍କ ଗିରଫ ଦାବି କରି ଆନ୍ଦୋଳନ କରିଆସୁଛନ୍ତି। ବ୍ରିଜଭୂଷଣ ମଧ୍ୟ ଜଣେ ବିଜେପି ସାଂସଦ ଏବଂ ତାଙ୍କ ନାମରେ ମହିଳା ଆଥ୍‌ଲେଟ୍‌ଙ୍କୁ ଯୌନ ଶୋଷଣ କରିବା ନେଇ ଦୁଇଟି ମାମଲା ରୁଜୁ ହୋଇଛି। ତାଙ୍କ ବିରୋଧରେ ଶିଶୁ ଯୌନ ଶୋଷଣ ବିରୋଧୀ (ପୋକ୍‌ସୋ) ଆଇନର ଧାରା ୧୦ ଓ ଆଇପିସିର ଧାରା ୩୫୪ ଅନୁଯାୟୀ ମାମଲା ରୁଜୁ ହୋଇଛି। ବ୍ରିଜଭୂଷଣ ନିଜ ବିରୋଧରେ ଥିବା ଅଭିଯୋଗକୁ ଦୃଢ଼ ଭାବରେ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଯଦି ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ, ତେବେ ସେ ଫାଶୀଖୁଣ୍ଟରେ ଝୁଲିବାକୁ ମଧ୍ୟ ପ୍ରସ୍ତୁତ।

ତେବେ ପୋକ୍‌ସୋ ଆଇନରେ ଅଭିଯୁକ୍ତଙ୍କୁ ନିଜେ ନିର୍ଦ୍ଦୋଷ ବୋଲି ପ୍ରମାଣ କରିବାର ଦାୟିତ୍ବ ନିଜ ମୁଣ୍ଡକୁ ନେବାକୁ ପଡ଼ିଥାଏ। ଇଣ୍ଡିଆନ ଏଭିଡେନ୍ସ ଆକ୍ଟ ୧୮୭୨ରେ ପ୍ରମାଣର ବୋଝ ବିଷୟରେ ଉଲ୍ଲେଖ କରାଯାଇଛି। ଏହି ଆଇନ ଅନୁଯାୟୀ ଯେ କେହି ନିଜ ସପକ୍ଷରେ ରାୟ ପାଇବାକୁ ହେଲେ ସେଥିପାଇଁ ଉପଯୁକ୍ତ ପ୍ରମାଣ ଦେବାକୁ ହେବ।