ଆଜି ପ୍ରଥମ ସେମିରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା

ଆଜି ପ୍ରଥମ ସେମିରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା

ମୁମ୍ବଇ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚଳିତ ବିଶ୍ବକପର ପ୍ରଥମ ସେମିଫାଇନାଲ ମ୍ୟାଚ ବୁଧବାର ୱାଙ୍ଖଡେ ଷ୍ଟାଡ଼ିୟମରେ ଖେଳାଯିବ। ଏହି ମ୍ୟାଚ୍‌ ଜିତି ଫାଇନାଲରେ ପ୍ରବେଶ ଲକ୍ଷ୍ୟ ରଖିଛି ଭାରତ। ଘରୋଇ ମାଟିରେ ଭାରତ ସେମିଫାଇନାଲ ଖେଳୁଥିବାବେଳେ ଏହିଦଳକୁ ପ୍ରଶଂସକଙ୍କ ସମର୍ଥନ ମିଳିବା ନିଶ୍ଚିତ। ତେବେ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ସର୍ବଦା ଲଢ଼ୁଆ ଖେଳ ପ୍ରଦର୍ଶନ କରିଆସୁଥିବାରୁ ଏହି ଦଳ ପ୍ରତି ସତର୍କ ରହିବାକୁ ପଡିବ। ଭାରତରେ ଭାରତ ଚତୁର୍ଥ ଥର ଲାଗି ସେମିଫାଇନାଲ ଖେଳିବାକୁ ଯାଉଛି।

ପୂର୍ବରୁ ଘରୋଇ ପଡିଆରେ ଭାରତ ୩ଥର ସେମିଫାଇନାଲ ଖେଳିଛି। ସେଥିମଧ୍ୟରୁ ଭାରତ ୧୯୮୭ ଓ ୧୯୯୬ରେ ପରାଜିତ ହୋଇଥିବାବେଳେ ୨୦୧୧ରେ ବିଜୟୀ ହୋଇଥିଲା। ୱାଙ୍ଖଡେ ଷ୍ଟାଡ଼ିୟମରେ ଭାରତ ୧୯୮୭ ବିଶ୍ବକପର ସେମିଫାଇନାଲ ମ୍ୟାଚ ଖେଳିଥିଲା। ଏଥି​‌େ​‌ର ଭାରତ ୩୫ରନରେ ଇଂଲଣ୍ଡ ନିକଟରୁ ପରାଜିତ ହୋଇଥିଲା। ୧୯୯୬ ବିଶ୍ବକପର ସେମିଫାଇନାଲ ମ୍ୟାଚ ଭାରତ ଇଡେନଗାର୍ଡେନରେ ଖେଳିଥିଲା। ଏଥିରେ ଅସମ୍ପୂର୍ଣ୍ଣ ମ୍ୟାଚରୁ ଭାରତ ଦର୍ଶକ ବିଶୃଙ୍ଖଳା ଆଚରଣ କାରଣରୁ ଶ୍ରୀଲଙ୍କା ନିକଟରୁ ପରାଜିତ ହୋଇଥିଲା। ୨୦୧୧ ବିଶ୍ବକପର ସେମିଫାଇନାଲରେ ମୋହାଲିରେ ଭାରତ ୨୯ରନରେ ପାକିସ୍ତାନକୁ ପରାସ୍ତ କରିଥିଲା।
ରୋହିତ ଶର୍ମାଙ୍କ ନେତୃତ୍ବାଧିନ ଭାରତ ଲିଗ୍‌ ପର୍ୟ୍ୟାୟରେ ୯ଟି ମ୍ୟାଚରୁ ୯ଟି ବିଜୟ ସହ ଅପରାଜୟ ଭାବେ ସେମିଫାଇନାଲରେ ପହଞ୍ଚିଛି। ବ୍ୟାଟିଂରେ ବିରାଟ କୋହଲି ୨ଟି ଶତକ ଓ ୫ଟି ଅର୍ଦ୍ଧଶତକ ସହ ସର୍ବାଧିକ ୫୯୪ରନ, ରୋହିତ ଶର୍ମା ଗୋଟିଏ ଶତକ ଓ ୩ଟି ଅର୍ଦ୍ଧଶତକ ସହ ୫୦୩ରନ, ଶ୍ରେୟାସ ଆୟର ୪୨୧ରନ, ଲୋକେଶ ରାହୁଲ ୩୪୭ରନ, ଶୁବମାନ ଗିଲ୍‌ ୨୭୦ରନ କରିଛନ୍ତି। ଭାରତର ପ୍ରଥମ ୫ ଜଣ ବ୍ୟାଟ୍‌ସମ୍ୟାନ ଚମତ୍କାର ଫର୍ମରେ ରହିଛନ୍ତି। ୬ଷ୍ଠ ବ୍ୟାଟ୍‌ସମ୍ୟାନ ଭାବେ ଖେଳୁଥିବା ସୂର୍ୟ୍ୟକୁମାର ଯାଦବ ଏପର୍ୟ୍ୟୟ ଲୟରେ ନାହାନ୍ତି। ଯାହାକୁ ନେଇ ଭାରତ ସାମାନ୍ୟ ଚିନ୍ତାରେ ରହିଛି। ବୋଲିଂରେ ଯଶପ୍ରୀତ୍‌ ବୁମ୍‌ରା ୧୭ଟି, ରବୀନ୍ଦ୍ର ଜାଡେଜା ଓ ମହମ୍ମଦ ସାମି ୧୬ଟି ଲେଖାଏଁ, କୁଳଦୀପ୍‌ ଯାଦବ ୧୪ଟି ଓ ମହମ୍ମଦ ସିରାଜ୍‌ ୧୨ଟି ୱିକେଟ ନେଇଛନ୍ତି। ଭାରତ ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିବାର ସମ୍ଭାବନା ନାହିଁ।

କେନ୍‌ ୱିଲିୟମସନଙ୍କ ନେତୃତ୍ବାଧିନ ଲିଗ୍‌ ପର୍ୟ୍ୟାୟରେ ୯ଟି ମ୍ୟାଚରୁ ୫ଟି ବିଜୟ ଓ ୪ଟି ପରାଜୟ ସହ ଟେବୁଲର ୪ର୍ଥ ସ୍ଥାନରେ ରହି ସେମିଫାଇନାଲରେ ପହଞ୍ଚିଛି। ବ୍ୟାଟିଂରେ ରାଚିନ ରବୀନ୍ଦ୍ର ୫୬୫ରନ, ଡ୍ୟାରେଲ ମିଚେଲ ୪୧୮ରନ, ଡିଭନ୍‌ କନ୍‌ୱେ ୩୫୯ରନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଗ୍ଲେନ ଫିଲିପ୍ସ, କେନ୍‌ ୱିଲିୟମସନ ଓ ଟମ୍‌ ଲଥାମ ମଧ୍ୟ ରନ କରୁଛନ୍ତି। ବୋଲିଂରେ ମିଚେଲ ସାଣ୍ଟନର ୧୬ଟି, ଟ୍ରେଣ୍ଟ ବୋଲ୍ଟ ୧୩ଟି, ମାଥ୍ୟୁ ଜେମ୍ସ ହେନରୀ ୧୧ଟି ୱିକେଟ ନେଇଛନ୍ତି।