ସହରରେ ବଢ଼ିଲା ,ଗାଁରେ କମିଲା ବେକାରି
ନୂଆଦିଲ୍ଲୀ: ଗାଁରେ ଚାଷ କାମ ଚାଲିଛି। କ୍ଷେତରେ ମୁଲ ଲାଗୁଥିବା ଶ୍ରମିକମାନଙ୍କ ଚାହିଦା ବହୁତ ବଢ଼ିଛି। ଏହାର ପ୍ରଭାବରେ ଜୁଲାଇରେ ବେକାରି ହାର ହ୍ରାସ ପାଇଛି। ଗତ ଜୁନ୍ରେ ବେକାରି ହାର ୮.୪୫ ପ୍ରତିଶତ ଥିଲା। ଜୁଲାଇରେ ତାହା ୭.୯୫ ପ୍ରତିଶତକୁ ହ୍ରାସ ପାଇଛି ବୋଲି ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି (ସିଏମ୍ଆଇଇ) ରିପୋର୍ଟରୁ ଜଣାପଡ଼ିଛି। ଜୁଲାଇରେ ଗ୍ରାମୀଣ ବେକାରି ହାର ଜୁନ୍ରେ ୮.୭୩ ପ୍ରତିଶତ ଥିଲା। ଜୁଲାଇରେ ତାହା ୭.୮୯ ପ୍ରତିଶତକୁ ହ୍ରାସ ପାଇଛି। ସହରାଞ୍ଚଳରେ କିନ୍ତୁ ଜୁଲାଇରେ ବେକାରି ହାର ୮.୦୬ ପ୍ରତିଶତକୁ ବୃଦ୍ଧି ପାଇଛି ଯାହା ଜୁନ୍ରେ ୭.୮୭ ପ୍ରତିଶତ ଥିଲା।
ସାଧାରଣତଃ ପ୍ରତିବର୍ଷ ଜୁଲାଇରେ ଚାଷ କାମ ଅଧିକ ହେଉଥିବା କାରଣରୁ ଗ୍ରାମାଞ୍ଚଳ ବେକାରି ହାର ଏହି ମାସରେ ହ୍ରାସ ପାଇଥାଏ। ଅଗଷ୍ଟ ପରଠାରୁ ପୁଣି ଥରେ ବେକାରି ସଂଖ୍ୟା ବୃଦ୍ଧି ପାଏ। ସିଏମ୍ଆଇଇର ପରିଚାଳନା ନିର୍ଦ୍ଦେଶକ ମହେଶ ବ୍ୟାସ କହିଛନ୍ତି ଯେ ବର୍ଷା ବଢ଼ିବା ପରେ ଚାଷ କାମ ତ୍ବରାନ୍ବିତ ହୋଇଛି। କ୍ଷେତ୍ରରେ ଅଧିକ ଲୋକ କାମ କରିବା କାରଣରୁ ଗ୍ରାମାଞ୍ଚଳରେ ଜୀବିକା ଖୋଜୁଥିବା ଲୋକଙ୍କ ସଂଖ୍ୟା କମ୍ ହୋଇଛି।




user1 