ଅନ୍‌ଲାଇନ୍‌ ଗେମିଂ ଉପରେ ୨୮% ଜିଏସ୍‌ଟି ଅକ୍ଟୋବରରୁ

ଅନ୍‌ଲାଇନ୍‌ ଗେମିଂ ଉପରେ ୨୮% ଜିଏସ୍‌ଟି ଅକ୍ଟୋବରରୁ

ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଟୋବରରୁ ଅନଲାଇନ ଗେମିଂ, କାସିନୋ ଓ ଘୋଡ଼ା ଦୌଡ଼ ଉପରେ ୨୮ ପ୍ରତିଶତ ଜିଏସ୍‌ଟି ଲାଗୁ କରାଯିବ। ଆଜି ଭିଡିଓ କନଫରେନ୍ସିଂରେ ଅନୁଷ୍ଠିତ ଜିଏସ୍‌ଟି ପରିଷଦର ୫୧ତମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଛଅ ମାସ ପରେ ଏହି ଟିକସର ସମୀକ୍ଷା କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଅନଲାଇନ୍ ଗେମିଂ ଉପରେ ଲଗାଯାଇଥିବା ଟିକସର ସମୀକ୍ଷା କରିବାକୁ ଦିଲ୍ଲୀ, ଗୋଆ ଓ ସିକିମ ଦାବି କରିଛନ୍ତି।

ଗତ ଜୁଲାଇ ୧୧ରେ ଅନୁଷ୍ଠିତ ହୋଇଯାଇଥିବା ଜିଏସ୍‌ଟି ପରିଷଦର ୫୦ତମ ବୈଠକରେ ଅନଲାଇନ ଗେମ, କାସିନୋ ଓ ଘୋଡ଼ା ଦୌଡ଼ରୁ ହେଉଥିବା ଆୟର ସମ୍ପୂର୍ଣ୍ଣ ରାଶି ଉପରେ ୨୮% ଟିକସ ଲାଗୁ କରିବା ନିଷ୍ପତ୍ତି ନିଆଯାଇଥିଲା। ଏହି ନିଷ୍ପତ୍ତିକୁ ନେଇ ଗେମିଂ କଂପାନିଗୁଡ଼ିକ ଚିନ୍ତା ପ୍ରକଟ କରିଛନ୍ତି। ଏଭଳି ଉଚ୍ଚ ହାରର ଟିକସ ଗେମିଂ ଶିଳ୍ପକୁ ବୁଡ଼ାଇଦେବ ବୋଲି ସେମାନେ ଭାବୁଛନ୍ତି। ଷ୍ଟାର୍ଟଅପ୍‌ଗୁଡ଼ିକ କହିଛନ୍ତି ଯେ ଆମକୁ ୧୦୦୦ ପ୍ରତିଶତ ଭଳି ଟିକସ ଗଣିବାକୁ ପଡ଼ିପାରେ। ଉଚ୍ଚ ଟିକସ ପାଇଁ ଦରକାର ପଡ଼ିଲେ ଲୋକମାନେ ବେଆଇନ ଜୁଆ ପ୍ଲାଟଫର୍ମ ଆଡ଼କୁ ଆକର୍ଷିତ ହେବେ। କଂପାନିଗୁଡ଼ିକରେ ପୁଞ୍ଜିନିବେଶ କରିବାକୁ ମଧ୍ୟ ନିବେଶକମାନେ ଆଗ୍ରହ ଦେଖାଇବେ ନାହିଁ।