ତୃତୀୟ ଟ୍ରାଫିକ୍‌ ଥାନା ଚନ୍ଦ୍ରଶେଖରପୁରରେ ଖୋଲିବ

ତୃତୀୟ ଟ୍ରାଫିକ୍‌ ଥାନା ଚନ୍ଦ୍ରଶେଖରପୁରରେ ଖୋଲିବ

ଭୁବନେଶ୍ବର : ଜୟଦେବବିହାରରୁ ନନ୍ଦନକାନନ ରାଜଧାନୀର ସବୁଠୁ ବ୍ୟସ୍ତବହୁଳ ରାସ୍ତା ପାଲଟି ଯାଇଛି। ପୁଳାପୁଳା ଶିକ୍ଷାନୁଷ୍ଠାନ, ଆଇଟି ପ୍ରତିଷ୍ଠାନ, ମେଡିକାଲ୍, ବ୍ୟବସାୟିକ ପ୍ରତିଷ୍ଠାନ ସାଙ୍ଗକୁ ପ୍ରାଣୀଉଦ୍ୟାନ ନନ୍ଦନକାନନ ରହିଛି। ଏହାସହ ତ୍ରିଶୁଳିଆ ଦେଇ କଟକକୁ ଯୋଗାଯୋଗର ଦୂରତା କମିଥିବା ବେଳେ ସେହି ଅଞ୍ଚଳର କାୟା ବଢ଼ିବାରେ ଲାଗିଛି। ଦିନକୁ ଦିନ ଯାନବାହନ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଟ୍ରାଫିକ୍‌ ନିୟନ୍ତ୍ରଣ ଏବେ ଚ୍ୟାଲେଞ୍ଜ ପାଲଟିଛି। ରାଜ୍ୟ ବାହାରୁ ପର୍ଯ୍ୟଟକମାନେ ମଧ୍ୟ ଆସୁଛନ୍ତି। 

ପାତ୍ରପଡ଼ାକୁ ଟ୍ରାଫିକ-୨ ଥାନା ଉଠିଯିବା ପରେ ଏବେ ଚନ୍ଦ୍ରଶେଖପୁର ଅଞ୍ଚଳରେ ଟ୍ରାଫିକ ନିୟନ୍ତ୍ରଣ କଷ୍ଟକର ହୋଇପଡ଼ିଛି। ଚନ୍ଦ୍ରଶେଖରପୁର ଅଞ୍ଚଳରେ ଆଉ ଏକ ଟ୍ରାଫିକ ଥାନା ଖୋଲିବା ପାଇଁ ପ୍ରସ୍ତାବ ଦିଆଯାଇଛି। ପୁଲିସ କମିସନର୍‌ ଏହି ପ୍ରସ୍ତାବକୁ ଡିଜିପିଙ୍କ ନିକଟକୁ ପଠାଇଛନ୍ତି। ଡିଜିପି ଏହାକୁ ଅନୁଧ୍ୟାନ କରି ଗୃହ ବିଭାଗକୁ ପଠାଇବେ। ସେଠାରେ ଅନୁମୋଦନ ହେଲା ପରେ ଟ୍ରାଫିକ ଥାନା ଖୋଲିବ ବୋଲି ଜଣାପଡ଼ିଛି। 

ଟ୍ରାଫିକ ଥାନା-୨ର ପରିସୀମା ମଧ୍ୟ ବଢ଼ି ଯାଇଛି। ଏହା ଅଧୀନରେ ନନ୍ଦନକାନନ, ଚନ୍ଦ୍ରଶେଖରପୁର, ଇନଫୋସିଟି, ଜଟଣୀ, ତମାଣ୍ଡୋ, ଖଣ୍ଡଗିରି, ଚନ୍ଦକା ଓ ନୂଆପଲ୍ଲୀ ଆସୁଛି। ଜଟଣୀରୁ ଜୟଦେବବିହାର ପର୍ଯ୍ୟନ୍ତ ଜାତୀୟ ରାଜପଥ ମଧ୍ୟ ରହୁଛି। ରାଜଧାନୀରେ ଦୁଇଟି ଆର୍‌ଟିଓରେ ମେ’ ସୁଦ୍ଧା ହୋଇଥିବା ରେଜିଷ୍ଟ୍ରେସନ୍‌ରୁ ଜଣାପଡ଼ିଛି, ଏବେ ୧୫ ଲକ୍ଷ ୭୬ ହଜାର ୮୬୮ ଗାଡ଼ି ରହିଛି। ସେହିପରି ପ୍ରତିଦିନ ବିଭିନ୍ନ ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ଗାଡ଼ି ରାଜଧାନୀକୁ ଆସୁଛି।