ହେବନି ଛାତ୍ର ସଂସଦ ନିର୍ବାଚନ

ହେବନି ଛାତ୍ର ସଂସଦ ନିର୍ବାଚନ

ଭୁବନେଶ୍ବର: ଲଗାତାର ୬ଷ୍ଠ ବର୍ଷ ପାଇଁ ଚଳିତବର୍ଷ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ ନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆଗକୁ ସାଧାରଣ ନିର୍ବାଚନ ରହିଥିବାରୁ କ୍ୟାମ୍ପସରେ ନିର୍ବାଚନ କରି ଛାତ୍ର ଓ ଯୁବ ସଙ୍ଗଠନରେ ଫାଟ ସୃଷ୍ଟି କରିବାକୁ ଶାସକ ଦଳ ଚାହିଁ ନାହିଁ। ଯେଉଁଥିପାଇଁ ଅତି ଚତୁରତାର ସହ କ୍ୟାମ୍ପସରେ ନିର୍ବାଚନ ନ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ପ୍ରକାଶିତ ବାର୍ଷିକ ଶିକ୍ଷା କ୍ୟାଲେଣ୍ଡର ପ୍ରକାଶ କରାଯାଇଛି। ଏହି କ୍ୟାଲେଣ୍ଡର ଅନୁଯାୟୀ କେତେଦିନ ପାଠପଢ଼ା ହେବ, କେଉଁ କେଉଁ ଦିନ ଛୁଟି ରହିବ, ଦଶହରା ଛୁଟି କେବେଠାରୁ ଆରମ୍ଭ ହେବ ଆଦି ବିଷୟରେ ଉଲ୍ଲେଖ ‌ହୋଇଛି।

ମାତ୍ର ଏହି କ୍ୟାଲେଣ୍ଡରରେ ଛାତ୍ର ସଂସଦ ନିର୍ବାଚନ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ଯେଉଁଥିରୁ ସ୍ପଷ୍ଟ ଅନୁମେୟ ହୋଇଛି ଯେ ଏଥର ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ ନାହିଁ। ୨୦୨୩-୨୪ ଶିକ୍ଷାବର୍ଷରେ ଉଚ୍ଚଶିକ୍ଷା ବିଭାଗ ଅଧୀନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଏକକ ଶିକ୍ଷା କ୍ୟାଲେଣ୍ଡର କଡ଼ାକଡ଼ି ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶ୍ବବିଦ୍ୟାଳୟଗୁଡ଼ିକର ପିଜି(ସ୍ନାତକୋତ୍ତର) ଓ ୟୁଜି(ସ୍ନାତକ) ପାଠ୍ୟକ୍ରମର ସମସ୍ତ ସେମିଷ୍ଟର ପାଠପଢ଼ା ଆରମ୍ଭ ହୋଇଛି। ଏଥର ପୂଜା ଛୁଟି ଅକ୍ଟୋବର ୨୧ରୁ ୨୮ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ଅକ୍ଟୋବର ଶେଷ ସପ୍ତାହରେ ମିଡ୍‌ ସେମିଷ୍ଟରର ଅଡ୍‌ ସେମିଷ୍ଟର(୧ମ/୩ୟ/୫ମ) ପରୀକ୍ଷା ହେବାକୁ ଥିବା ବେଳେ ଫେବ୍ରୁଆରି ଶେଷ ସପ୍ତାହରେ ଇଭେନ୍‌ ସେମିଷ୍ଟର(୨ୟ/୪ର୍ଥ/୬ଷ୍ଠ) ‌ପରୀକ୍ଷା କରାଯିବ। ଏଣ୍ଡ୍‌ ସେମିଷ୍ଟର ପରୀକ୍ଷାର ଅଡ୍‌ ସେମିଷ୍ଟର(୧ମ/୩ୟ/୫ମ) ପରୀକ୍ଷା ଡିସେମ୍ବର ୩ୟ ସପ୍ତାହ ଓ ଇଭେନ୍‌ ସେମିଷ୍ଟର(୨ୟ/୪ର୍ଥ/୬ଷ୍ଠ) ପରୀକ୍ଷା ୨୦୨୪ ମେ’ ଦ୍ବିତୀୟ ସପ୍ତାହରେ କରାଯିବ। ନଭେମ୍ବର ୧ରୁ ୧୦ ମଧ୍ୟରେ ବାର୍ଷିକ କ୍ରୀଡ଼ା/ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହେବ।