୬ମାସରେ ଷ୍ଟାର୍ଟଅପ୍‌ରେ ୧୭ ହଜାର ଛଟେଇ

୬ମାସରେ ଷ୍ଟାର୍ଟଅପ୍‌ରେ ୧୭ ହଜାର ଛଟେଇ

ନୂଆଦିଲ୍ଲୀ: ପ୍ରଯୁକ୍ତି ଓ ଷ୍ଟାର୍ଟଅପ୍ ଜଗତରେ ଗତବର୍ଷଠାରୁ ଆରମ୍ଭ ହୋଇଥିବା ଛଟେଇ ଧାରା ଚଳିତ ବର୍ଷ ମଧ୍ୟ ଜାରି ରହିଛି। ୨୦୨୩ର ପ୍ରଥମ ଛଅ ମାସରେ ଭାରତୀୟ ଷ୍ଟାର୍ଟଅପ୍ ଜଗତରେ ୧୭ ହଜାରରୁ ଅଧିକ କର୍ମଚାରୀ ଚାକିରି ହରାଇଛନ୍ତି। ଆମେରିକା ଭଳି ଭାରତର ଷ୍ଟାର୍ଟଅପ୍‌ ଜଗତ ମଧ୍ୟ ସଙ୍କଟ ସମୟ ଦେଇ ଗତି କରୁଛି। ପାଣ୍ଠି ସଂଗ୍ରହ କରିବା କଷ୍ଟକର ହୋଇପଡ଼ିଥିବା ବେଳେ ଅଭିବୃଦ୍ଧିକୁ ବଢ଼ାଇବା ପାଇଁ କଂପାନିଗୁଡ଼ିକ ସଂଘର୍ଷ କରୁଛନ୍ତି। 

ସିଏଲ୍‌ ଏଚ୍‌ଆର୍‌ ନାମକ ସଂସ୍ଥାର ତଥ୍ୟ ଅନୁସାରେ ୭୦ଟି ଭାରତୀୟ ଷ୍ଟାର୍ଟଅପ୍ ୧୭,୦୦୦ରୁ ଅଧିକ ଛଟେଇ କରିଛନ୍ତି। ସିଏଲ୍‌ର ଏମ୍‌ଡି ଆଦିତ୍ୟ ମିଶ୍ର କହିଛନ୍ତି ଯେ ଅଭିବୃଦ୍ଧି ବଢ଼ାଇବା ଲାଗି ଷ୍ଟାର୍ଟଅପ୍‌ଗୁଡ଼ିକ ବାହ୍ୟ ପାଣ୍ଠି ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ସେହି ପାଣ୍ଠି ଅଭାବରେ କଂପାନିଗୁଡ଼ିକ ନିଜ କାରବାରକୁ ସଙ୍କୁଚିତ କରିବା ଆରମ୍ଭ କରିଛନ୍ତି। ଖର୍ଚ୍ଚକାଟ ଓ ସଞ୍ଚୟ ଜରିଆରେ ସଙ୍କଟ ସମୟକୁ ଅତିକ୍ରମ କରିବା ଲାଗି କଂପାନିଗୁଡ଼ିକ କର୍ମଚାରୀ ଛଟେଇ କରୁଛନ୍ତି। ଗ୍ରୋସରିଠାରୁ ଆରମ୍ଭ କରି ବେବି କେୟାର, ପର୍ସନାଲ୍ କେୟାର, ଫିନ୍‌ଟେକ୍, ଏଡ୍‌ଟେକ୍, ଲଜି‌ଷ୍ଟିକ୍ସ ଓ ହେଲ୍‌ଥ ଟେକ୍ ପର୍ଯ୍ୟନ୍ତ ସବୁ କ୍ଷେତ୍ର ଛଟେଇ ଦ୍ବାରା ପ୍ରଭାବିତ। ପ୍ରତିଷ୍ଠିତ କଂପାନି ଯଥା ମିଶୋ, ଅନଏକାଡେମି, ସ୍ବିଗି ଓ ସେୟାରଚାଟ୍ ଛଟେଇ କରିବାକୁ ବାଧ୍ୟ ହୋଇଛନ୍ତି।

ବାଇଜୁସ୍‌ ଏହାର୧୦୦୦ କର୍ମଚାରୀଙ୍କୁ ବିଦା କରିଛି। ପିଡବ୍ଲୁସି ରିପୋର୍ଟ ଅନୁସାରେ ଚଳିତ ବର୍ଷର ପ୍ରଥମ ଛଅ ମାସରେ ଷ୍ଟାର୍ଟଅପ୍‌କୁ ପ‌ାଣ୍ଠି ପ୍ରବାହ ୩୮୦ କୋଟି ଡଲାରକୁ ହ୍ରାସ ପାଇଛି। ଗତବର୍ଷ ଏହି ସମୟରେ ଷ୍ଟାର୍ଟଅପ୍‌ଗୁଡ଼ିକୁ ୧୮୩୦ କୋଟି ଡଲାରର ପାଣ୍ଠି ମିଳିଥିଲା।