ଘୁଙ୍ଗୁଡିର ମୁଖ୍ୟ କାରଣ କଣ?
ଶୋଇବାବେଳେ ଘୁଙ୍ଗୁଡ଼ି ଅନେକେ ମାରିଥାନ୍ତି । କିଏ କହେ ଏହା ଗଭିର ନିଦ୍ରା ହେଲେ ହୁଏ, ତ କିଏ କହେ ଅଧିକ ଥକି ଯାଇଥିଲେ ହୁଏ । ତେବେ ପ୍ରକୃତରେ ଘୁଙ୍ଗୁଡ଼ି ମାରିବା ପଛର କାରଣ କ’ଣ ଓ ଏହା ହେବା କ’ଣ ସୂଚନା ଦିଏ ଜାଣନ୍ତି? ଶୋଇବା ସମୟରେ ଶ୍ୱାସ ନେବା ସହ ଜୋର୍ ଶବ୍ଦ ହୋଇ ଭାଇବ୍ରେଶନ୍ ବା କମ୍ପନ ହେଲେ ତାକୁ ସାଧାରଣତଃ ଘୁଙ୍ଗୁଡ଼ି କୁହାଯାଏ । ଘୁଙ୍ଗୁଡିର ଶବ୍ଦ ନାକ ଅବା ପାଟିରୁ ବାହାରିଥାଏ । ଗବେଷଣା କହେ ଘୁଙ୍ଗୁଡ଼ି ହେବା ପଛର ମୁଖ୍ୟ କାରଣ ହେଉଛି ଶୋଇବା ସମୟରେ ଶ୍ୱାସକ୍ରିୟାରେ ପ୍ରତିବନ୍ଧକ ସୃଷ୍ଟି ହେବା । ଶୋଇବା ସମୟରେ ପାଟିର ଉପରଭାଗ ବା ସଫ୍ଟ ପାଲେଟ୍, ଜିଭ ଓ ଗଳା ରିଲାକ୍ସ ହୋଇଯାଏ । ବେଳେବେଳେ ଗଳାର କୋଷିକ ଏତେ ମାତ୍ରାରେ ରିଲାକ୍ସ ହୋଇଯାଆନ୍ତି ଯେ, ତାହା କିଛି ମାତ୍ରାରେ ପବନ ଯିବା ପଥକୁ ବା ଏୟାରୱେକୁ ବ୍ଲକ୍ କରିଦିଏ ଓ କମ୍ପନ ସୃଷ୍ଟି କରେ । ଯେଉଁ କାରଣରୁ ଘୁଙ୍ଗୁଡିର ଶବ୍ଦ ବଢେ ।
ଆପଣ ଜାଣନ୍ତି ଘୁଙ୍ଗୁଡି ସ୍ୱାସ୍ଥ୍ୟଜନିତ ସମସ୍ୟାକୁ ବି ଦର୍ଶାଇଥାଏ । ତେଣୁ ଘୁଙ୍ଗୁଡ଼ିକୁ ସାମାନ୍ୟ ଭାବି ଅଣଦେଖା କରିବା ଠିକ୍ ନୁହେଁ । ଠିକ ସମୟରେ ଏହାର ଚିକିତ୍ସା ନ କରାଗଲେ ସ୍ଲିପ ଏପ୍ନିଆ ହୋଇପାରେ । ଯଦି ସାରା ରାତି ଖୁବ୍ ଜୋର୍ରେ ଘୁଙ୍ଗୁଡ଼ି ମାରି ଶୋଇଲେ ମଧ୍ୟ ଦୁର୍ବଳ ଲାଗେ ତେବେ ଆପଣଙ୍କୁ ସ୍ଲିପ ଏପ୍ନିଆ ହୋଇଥାଇପାରେ । ଘୁଙ୍ଗୁଡ଼ିର ଶବ୍ଦ ୫୦-୧୦୦ ଡେସିବଲ୍ ପର୍ଯ୍ୟନ୍ତ ହୋଇପାରେ । କିନ୍ତୁ ଜେନି ଚାପମ୍ୟାନ ନାମକ ଜଣେ ମହିଳାଙ୍କ ନାମରେ ସବୁଠାରୁ ଜୋର୍ରେ ଶବ୍ଦ କରି ଘୁଙ୍ଗୁଡ଼ି ମାରୁଥିବା ରେକର୍ଡ ଅଛି । ତାଙ୍କ ଘୁଙ୍ଗୁଡିର ଶବ୍ଦ ୧୧୦ ଡେସିବଲ୍ ଅଟେ । ଜେନି ନିଜେ ବି ଜାଣି ନ ଥିଲେ ସେ ଏତେ ଜୋର୍ରେ ଘୁଙ୍ଗୁଡି ମାରନ୍ତି ବୋଲି । ୨୦୦୯ରେ ଯେବେ ସେ ସ୍ଲିପ୍ କ୍ଲିନିକକୁ ଯାଇଥିଲେ ସ୍ଲିପ୍ ସ୍ପେଶାଲିଷ୍ଟ ତାଙ୍କ ଘୁଙ୍ଗୁଡ଼ି ଶବ୍ଦ ଶୁଣି ଚକିତ ହୋଇଯାଇଥିଲେ । ।




admin 