ସକାଳୁ ପାଗରେ ହଠାତ୍ ପରିବର୍ତ୍ତନ, ମେଘାଚ୍ଛନ ଆକାଶ
ଆଜି ସକାଳୁ ପାଗରେ ହଠାତ୍ ପରିବର୍ତ୍ତନ । ଉପକୂଳ ଓଡ଼ିଶାରେ ଆକାଶ ମେଘାଚ୍ଛନ ରହିବା ସହ କିଛି ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିଛି । ଭୁବନେଶ୍ୱର ସମେତ ଗଞ୍ଜାମ ଓ ପୁରୀରେ ଝିପିଝିପି ବର୍ଷା ହେଉଛି । ବାଦଲ ସମୂହ ଉପକୂଳ ମୁହାଁ ହେଉଥିବାରୁ ଆକାଶ ମେଘାଚ୍ଛନ୍ନ ରହିଛି । ଫଳରେ କିଛି ଦିନ ହେବ ତାତି ଓ ଗୁଳୁଗୁଳିରେ ସନ୍ତୁଳି ହେଉଥିବା ଲୋକଙ୍କୁ ସାମାନ୍ୟ ନିସ୍ତାର ମିଳିଛି ।
ସେହିପରି ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ମଧ୍ୟ ମେଘୁଆ ପାଗ ଦେଖିବାକୁ ମିଳିଛି । ଗତକାଲି ସମ୍ବଲପୁରରେ ୪୬.୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା । ଯାହାକି ୨୫ ବର୍ଷର ରେକର୍ଡ ଭାଙ୍ଗିଥିଲା । ସେହିପରି ୧୦ଟି ସହରର ତାପମାତ୍ରା ୪୪ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିଥିଲା । ଭୁବନେଶ୍ୱରରେ ତାତି ସାଙ୍ଗକୁ ଝାଂଜି, ରାଜଧାନୀବାସୀଙ୍କୁ ଅତିଷ୍ଟ କରିଦେଇଥିଲା । ଗତକାଲି ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୪୪.୩ ଡିଗ୍ରୀ ରେକର୍ଡ କରାଯାଇଥିଲା । ଯାହା ସ୍ୱାଭାବିକ ଠାରୁ ୮.୩ ଡିଗ୍ରୀ ଅଧିକ ଥିଲା । ସେହିପରି କଟକର ତାପମାତ୍ରା ୪୩ ଦଶମିକ ୨ ଡିଗ୍ରୀ ରେକର୍ଡ କରାଯାଇଥିଲା । ଅନ୍ୟପକ୍ଷରେ ୪୦ଟି ସହର ମଧ୍ୟରେ ୩୧ଟି ସହରରେ ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିଥିଲା ତାପମାତ୍ରା ।




admin 