ଆହୁରି 5 ଦିନ ପ୍ରବଳ ବର୍ଷା

ଆହୁରି 5 ଦିନ ପ୍ରବଳ ବର୍ଷା, 13 ଜିଲ୍ଲାକୁ ସତର୍କସୂଚନା ଜାରୀ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ଗତ ୨୪ ଘଣ୍ଟା ଧରି ଗୋଟିଏ ଜାଗାରେ ସ୍ଥିର ରହିଛି । ସମୁଦ୍ର ପତ୍ତନର ୭.୬କିମି ଉଚ୍ଚାରେ ରହିଥିବା ଏହି କ୍ଷେତ୍ର ଦକ୍ଷିଣପଶ୍ଚିମ ଆଡକୁ ଢଳି ରହିଥିବା ବେଳେ, ଏହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ଆଡ଼କୁ ଗତି କରିବା ନେଇ ସମ୍ଭାବନା ରହିଛି । ଅନ୍ୟପଟେ ରାଜ୍ୟରେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ମଧ୍ୟ ସକ୍ରିୟ ରହିଛି । ଯାହାର ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା ଲାଗି ରହିବ । କୋରାପୁଟ ସମେତ ୬ ଜିଲ୍ଲାରେ ପ୍ରବଳ ବର୍ଷାହେବା ନେଇ ସମ୍ଭାବନା ରହିଛି । ରବିବାର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ୱଲପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ୭୦ରୁ ୧୧୦ ମିମି ବର୍ଷା ସମ୍ଭାବନା ରହିଥିବା ବେଳେ । ସୋମବାର ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ମଧ୍ୟ ୭୦ରୁ ୧୧୦ ମିମି ବର୍ଷା ଆଶଙ୍କା ରହିଛି । ତେଣି ଦୁଇଦିନ ପାଇଁ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମଙ୍ଗଳବାର ମଧ୍ୟ ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ୧୨୦ରୁ ୨୦୦ ମିମି ବର୍ଷା ସମ୍ଭାବନା ରହିଛି । ବାଲେଶ୍ୱର, କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ ଓ ଅନୁଗୁଳୁ ଜିଲ୍ଲାରେ ୭୦ରୁ ୧୧୦ ମିମି ବର୍ଷା ଆଶଙ୍କା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏନେଇ ସୂଚନା ଜାରିକରିଛି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ।