ଶ୍ରୀଜିଉଙ୍କ ନବଯୌବନ ଦର୍ଶନ ମାତ୍ର ୩ ଘଣ୍ଟା
ପୁରୀ: ଆସନ୍ତା ୧୯ ତାରିଖରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ। ଚଳିତ ବର୍ଷ ମାତ୍ର ୩ ଘଣ୍ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଏହି ସୁନ୍ଦର ନବ ଯୌବନ ଦର୍ଶନ ହେବ। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସକାଳ ୮ଟାରୁ ୯ଟା ଯାଏ ପରିମାଣିକ ଦର୍ଶନ ବ୍ୟବସ୍ଥା ରହିବ। ସକାଳ ୮ଟାରୁ ୯ଟା ଯାଏ ପାରମାଣିକ ଟିକେଟଧାରୀ କରିପାରିବେ ଦର୍ଶନ। ପାରମାଣିକ ଟିକେଟର ଦାମ ୧୦୦ ଟଙ୍କା ସ୍ଥିର କରାଯାଇଛି। ସେହିଭଳି ସକାଳ ୯ଟାରୁ ୧୧ଟା ଯାଏଁ ସାହାଣମେଲା ଦର୍ଶନ କରିପାରିବେ ଭକ୍ତ । ୨ ଘଣ୍ଟା ଧରି ସାହାଣ ମେଲା ଦର୍ଶନ କରିପାରିବେ ସାଧାରଣ ଲୋକେ । ତେବେ ଦିନ ୧୧ଟାରୁ ଦର୍ଶନ ବନ୍ଦ ରହିବ।
ନବଯୌବନ ଦର୍ଶନର ପରଦିନ ଶ୍ରୀଜିଉ ରଥାରୂଢ ହେବେ। ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ୨୦ ତାରିଖରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। ସେଥିନେଇ ଶ୍ରୀମନ୍ଦିର ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।




user2 