ଜମିପଟ୍ଟା ଦାବିନେଇ ଶୋଭାଯାତ୍ରା
ଭୁମିହୀନଙ୍କୁ ଜମି ପଟ୍ଟା ଯୋଗାଇ ଦେବା ଦାବି ଏବଂ ପିପିଲି ରେ ଥିବା କଳିଙ୍ଗ ରେଡମିକ୍ସ କମ୍ପାନୀର କଳା କାରନାମା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ରାଜରାସ୍ତା କୁ ଓହ୍ଲାଇ ପ୍ରତିବାଦ କଲେ ଜାତୀୟ ଦଳିତ ଆଦିବାସି ମାଇନରଟି ମହାସଂଘ । ସରକାର ଙ୍କ ପକ୍ଷରୁ ଭୁମିହୀନ ମାନଙ୍କୁ ଜମି ପଟ୍ଟା ଯୋଗାଇ ଦେବାକୁ ଦାବି କରି ଆଜି ରାଜରାସ୍ତାରେ ବିକ୍ଷୋଭ ପଦର୍ଶନ କରିଛି ଦଳିତ ମହାସଙ୍ଘ। ମହାସଂଘ ର ରାଜ୍ୟ ସଭାପତି ବିଜୟ ସେଠୀ ଙ୍କ ନେତୃତ୍ବରେ ଶତାଧିକ ମହିଳା ପୁରୁଷ ପିପିଲି ହାଟ ଛକ ଠାରୁ ଶୋଭାଯାତ୍ରାରେ ବାହାରି ପିପିଲି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବର୍ଷ ବର୍ଷ ଧରି ଭୂମିହୀନ ଙ୍କୁ ଜମି ପଟ୍ଟା ଯୋଗାଇ ଦେବାରେ ପ୍ରଶାସନ ବିଫଳ ହୋଇଥିବା ଅଭିଯୋଗ କରି ତୁରନ୍ତ ଜମି ପଟ୍ଟା ଯୋଗାଇଦେବା ପାଇଁ ମହାସଂଘ ଦାବି କରିଛି । ଏହା ସହ ପିପିଲି ବାଇପାସ ସ୍ଥିତ କଳିଙ୍ଗ ରେଡ଼ମିକ୍ସ କମ୍ପାନୀ ଗରିବ ନିରୀହ ଲୋକ ମାନଙ୍କୁ ଶୋଷଣ କରିବା ସହିତ ଠକାମି କରିଥିବା ଅଭିଯୋଗ କରି କମ୍ପାନୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ମହାସଂଘ । ଆୟୋଜିତ ଏହି ପ୍ରତିବାଦ ସଭା ରେ ସଂଗଠନ ର ରାଜ୍ୟ ସମ୍ପାଦିକା ସୋନିଲତା ସେଠୀ, ସମାଜସେବୀ ଶରତ ପ୍ରଧାନଙ୍କ ସହ ବହୁ ନେତୃବୃନ୍ଦ ମାନେ ସାମିଲ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ସଂଗଠନ ପକ୍ଷରୁ ପୁରୀ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟ ରେ ଏକ ଦାବି ପତ୍ର ପିପିଲି ତହସିଲଦାର ଦିଲ୍ଲୀପ କୁମାର ମାଝୀ ଙ୍କୁ ପ୍ରଦାନ କରାଯାଇଥିଲା। ତେବେ ଦାବି ମୁତାବକ ପିପିଲି ପ୍ରଶାସନ ଏହି ଦୁଇ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ମହାସଂଘର ରାଜ୍ୟ ସଭାପତି ବିଜୟ ସେଠୀ କହିଛନ୍ତି।




