ରାଷ୍ଟ୍ରପତିଙ୍କ ଭାଷଣ ସମୟରେ ବିଦ୍ୟୁତ୍ ବିଭ୍ରାଟ ଘଟଣା: ୧୯ରେ ହରତାଳ ଡାକରା
ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଭାଷଣ ଦେବା ବେଳେ ୯ ମିନିଟ୍ ପାଇଁ ସବୁ ଲାଇଟ୍ କଟି ଯିବା ଘଟଣାରେ ଆସନ୍ତା ୧୯ ତାରିଖରେ ହରତାଳ ଡାକରା ଦେଇଛି ମୟୂରଭଞ୍ଜ ଜିଲ୍ଲା ବିଜେପି।
ଗତକାଲି ବାରିପଦାସ୍ଥିତ ଏକ ହୋଟେଲଠାରେ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ। ଜିଲ୍ଲା ପ୍ରଶାସନର ଅବହେଳା ପାଇଁ ମୟୂରଭଞ୍ଜର ସମ୍ମାନ ହାନି ହୋଇଛି ବୋଲି ସୋରେନ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଯେଉଁଭଳି ଭାବେ ରାଷ୍ଟ୍ରପତି ଦୀର୍ଘ ୯ ମିନିଟ କାଳ ଅନ୍ଧାରରେ ରହିଲେ, ଏହା ଏକ ଦୁଃଖ ଦାୟକ ଘଟଣା। ଏନେଇ ଜିଲ୍ଲାପାଳ,ଏସପି ଓ ବିଶ୍ୱବିଦ୍ୟାଳୟ କୁଳପତି ଦାୟୀ। ସୂଚନାଯୋଗ୍ୟ, ମେ’ ୪ ତାରିଖରେ ୩ ଦିନିଆ ଓଡ଼ିଶା ଗ୍ରସ୍ତରେ ଆସିଥିଲେ ରାଷ୍ଟ୍ରପତି।
ଶେଷ ଦିନରେ ଅଥବା ମେ’ ୬ ତାରିଖରେ ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଇ ଭାଷଣ ଦେଉଥିବା ବେଳେ ଲାଇନ୍ କଟିଯାଇଥିଲା। ଲାଇଟ କଟି ଯିବା ସତ୍ତ୍ୱେ ରାଷ୍ଟ୍ରପତି ତାଙ୍କ ଭାଷଣ ବନ୍ଦ କରିନଥିଲେ। ପୋଡ଼ିୟମରେ ଜଳୁଥିବା କ୍ଷୀଣ ଲାଇଟରେ ସେ ଭାଷଣ ଦେଇଥିଲେ। ରାଷ୍ଟ୍ରପତି ପ୍ରାୟ ୯ ମିନିଟ ଅନ୍ଧାରରେ ଭାଷଣ ଦେବା ପରେ ହଲ୍ର ଲାଇଟ ପୁଣି ଜଳିଥିଲା




admin 