ଶିବ ମନ୍ଦିରରେ ପୂଜା କଲେ ମହାମହିମ

ଶିବ ମନ୍ଦିରରେ ପୂଜା କଲେ ମହାମହିମ

ରାଇରଙ୍ଗପୁର: ମହାମହିମ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଗତକାଲି ନିଜ ଜନ୍ମମାଟି ମୟୁରଭଞ୍ଜ ଜିଲ୍ଳା ରାଇରଙ୍ଗପୁରରେ ପହଞ୍ଚିଥିଲେ । ବିଭିନ୍ନ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିଲେ ।  ଆଜି ସକାଳେ ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନରେ ଯିବା ପୂର୍ବରୁ ସେ ସକାଳ ଜଳଖିଆ ଖାଇଛନ୍ତି । ସ୍ଥାନୀୟ ବ୍ରହ୍ମକୁମାରୀ କେନ୍ଦ୍ରର ଭାଇ ଭଉଣୀମାନେ ଆଣିଥିବା ଜଳଖିଆ ସେ ଖାଇଛନ୍ତି । ଏଥିରେ ତାଙ୍କୁ ମଣ୍ଡା ପିଠା, ଛେନା ଗଜା, ଚିତଉ ପିଠା ଓ ପୋଡ ପିଠା ଆଦି ପରଷା ଯାଇଥିବା ଜଣାଯାଇଛି । ଏହାଛଡା ରାଷ୍ଟ୍ରପତି ଦ୍‌ରୌପଦୀ ମୁର୍ମୁ ହଳଦୀମିଶା କ୍ଷୀର, ଗ୍ରୀନ୍‌ ଟି ଆଦି ସେବନ କରିଥିବା ଜଣାଯାଇଛି ।

ଏହାପରେ ରାଷ୍ଟ୍ରପତି ରାଇରଙ୍ଗପୁରସ୍ଥିତ ବାବା ପୁନେଶ୍ୱରାୟ ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ତାଙ୍କ ସହ ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ୍‌ ମଧ୍ୟ ଉପସ୍ଥିତ ଅଛନ୍ତି । ଉଲ୍ଲେଖଯୋଗ୍ୟ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଅଧିଷ୍ଠିତ ହେବାପରେ ପ୍ରଥମଥର ପାଇଁ ତିନିଦିନିଆ ମୟୂରଭଞ୍ଜ ଗସ୍ତରେ ଆସିଛନ୍ତି । ଗୁରୁବାର ଦିନ ଜନ୍ମମାଟି ରାଇରଙ୍ଗପୁରରେ ପହଂଚିବା ପରେ ତାଙ୍କୁ ଉଚ୍‌ଛ୍ୱସିତ ସ୍ୱାଗତ କରାଯାଇଛି । ରାଷ୍ଟ୍ରପତି ପଶ୍ଚିମବଙ୍ଗର କଲେଇକୁଣ୍ଡାରୁ ସ୍ୱତନ୍ତ୍ର ହେଲିପକ୍ଟର ଯୋଗେ ଆସି ରାଇରଙ୍ଗପୁର ନିକଟ ହେଲିପ୍ୟାଡରେ ପହଂଚିଥିଲେ ।

ସେଠାରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଓ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ରାଷ୍ଟ୍ରପତିଙ୍କୁ ସ୍ୱାଗତ ଜଣାଇଥିଲେ । ରାଷ୍ଟ୍ରପତି ହେଲିପ୍ୟାଡ୍ରୁ କାର୍କେଡ୍‌ରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର ଥିଲା । ହେଲେ, ସ୍ୱତନ୍ତ୍ର ଗାଡିରେ ନ ବସି ସେ ହେଲିପ୍ୟାଡ୍‌ ଚାରିପାଖରେ ଟାଣଖରା ସତ୍ତେ୍ୱ ତାଙ୍କୁ ଅପେକ୍ଷା କରି ରହିଥିବା ଆପଣାର ଲୋକଙ୍କ ପାଖକୁ ଟାଣି ହୋଇଯାଇଥିଲେ । ବ୍ୟାରିକେଡ୍‌ କଡରେ ଚାଲିଚାଲି ସମସ୍ତଙ୍କୁ ନମସ୍କାର ଜଣାଇବା ସହ ଅଭିବାଦନ ଗ୍ରହଣ କରିଥିଲେ । ମୁଖ୍ୟ ରାସ୍ତାରେ ମଧ୍ୟ ସେ କିଛି ବାଟ ଚାଲିଚାଲି ଯାଇ ଲୋକଙ୍କୁ ଭେଟିଥିଲେ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ମୟୁରଭଂଜ ଜିଳ୍ଲା ଚଳଚଂଚଳ ହୋଇଉଠିଛି ।