କ’ଣ କହିଲେ ପ୍ରଶାନ୍ତ ଜାଣନ୍ତୁ

ଭୁବନେଶ୍ୱର: ଯେଉଁ ବିଜେପି ପାଇଁ ପ୍ରଶାନ୍ତ ଜଗଦ୍ଦେବଙ୍କ କ୍ୟାରିୟରରେ ଦାଗ ଲାଗିଥିଲା, ଆଜି ସେହି ବିଜେପିରେ ସେ ମିଶିଛନ୍ତି । ତେବେ ବିଜେପିରେ ଯୋଗଦେବା ପରେ ପ୍ରଶାନ୍ତ କହିଛନ୍ତି ଯେ ବିଜେପିରେ ମିଶି ଆଜି ମୁଁ ବହୁତ ଖୁସି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଷ୍ଟ୍ରନେତୃତ୍ୱ ମୋତେ ପ୍ରେରଣା ଦେଇଛି । ବିଜେଡିରେ ଥିଲା ବେଳୁ ମୁଁ ମୋଦୀଙ୍କୁ ସମ୍ମାନ ଜଣାଉଥିଲି । ଏଭଳି ପ୍ରଧାନମନ୍ତ୍ରୀଙ୍କ ସୈନିକଭାବେ କାମ କରିବି, ସେଥିପାଇଁ ମୁଁ ବହୁତ ଖୁସି ବୋଲି ପ୍ରଶାନ୍ତ କହିଛନ୍ତି ।
ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ରାଜନୀତିରୁ ନିବୃତ୍ତ ରୁହନ୍ତୁ ବୋଲି ପ୍ରଶାନ୍ତ କହିଛନ୍ତି । ସେ କହିଛନ୍ତି ଯେ ନବୀନ ବାବୁ ମୋତେ ବହୁତ ସମ୍ମାନ ଦିଅନ୍ତି, ସୁରକ୍ଷା ଦିଅନ୍ତି । ତେବେ ଆଜି ନବୀନ ବାବୁ ଆମକୁ ସୁରକ୍ଷା ଦେବା ଅବସ୍ଥାରେ ନାହାନ୍ତି । ଏବେ ରାଜନୈତିକ ବ୍ୟବସ୍ଥାରୁ ସେ ନିବୃତ୍ତ ରହିବା ଦରକାର । ମୋତେ ବାସ୍ନା ହେଉଛି ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେବ ବୋଲି ପ୍ରଶାନ୍ତ କହିଛନ୍ତି ।
ଏହାଛଡ଼ା ଏବେ ମୁଁ ପୂରା ଆକ୍ସନ ମୁଡରେ । ଏବେ ଅନଲି ଆକ୍ସନ, ନୋ-ରିଆକ୍ସନ ବୋଲି ପ୍ରଶାନ୍ତ ଜଗଦେ୍ଧବ କହିଛନ୍ତି ।
ପ୍ରକାଶ ଯେ ଯାହା ଚର୍ଚ୍ଚା ହେଉଥିଲା, ତାହା ସତରେ ପରିଣତ ହେଲା । ବିଜେଡିରୁ ବହିଷ୍କୃତ ହୋଇଥିବା ଆଉ ଜଣେ ନେତା ଏବେ ପଦ୍ମ ଶିବିରକୁ ଡେଇଁଛନ୍ତି । ସେ ହେଉଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଗୁରୁବାର ପ୍ରଶାନ୍ତ ଜଗଦ୍ଦେବ ବିଜେପିରେ ମିଶିଛନ୍ତି । ନିଜର ଦବଙ୍ଗଗିରି ପାଇଁ ବିବାଦୀୟ ହୋଇଥିବା ପ୍ରଶାନ୍ତ ଦୀର୍ଘଦିନ ଧରି ଚିଲିକା ରାଜନୀତିରୁ ଦୂରେଇ ରହିଥିବା ବେଳେ ବିଜେପିରେ ମିଶିବା ନେଇ ଗତ କିଛି ଦିନ ହେଲା ଚର୍ଚ୍ଚା ହେଉଥିଲା । ତେବେ ଆଜି ଉକ୍ତ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ, ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ଦାସ, ପୃଥ୍ୱୀରାଜ ହରିଚନ୍ଦନ, ଭୃଗୁ ବକ୍ସିପାତ୍ରଙ୍କ ଉପସ୍ଥିତିରେ ପ୍ରଶାନ୍ତ ପଦ୍ମ ଧରିଛନ୍ତି । ରାଜ୍ୟ ବିଜେପି ନିର୍ବାଚନ ସହ-ପ୍ରଭାରୀ ଲତା ଉସେଣ୍ଡି ଦଳୀୟ ଉତ୍ତରୀୟ ଓ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଦଳୀୟ ଟୋପି ପ୍ରଦାନ ଦେଇ ପ୍ରଶାନ୍ତଙ୍କୁ ଦଳକୁ ସ୍ୱାଗତ କରିଥିଲେ ।
ପୂର୍ବରୁ ପ୍ରଶାନ୍ତ ଜଗଦ୍ଦେବ ନିଜର ଶତାଧିକ କର୍ମୀଙ୍କ ସହ ସେ ‘ଜୟ ଶ୍ରୀରାମ’ ନାରା ଦେଇ ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସମସ୍ତେ ଜାଣନ୍ତି ଯେ ଗତ କିଛି ଦିନ ହେଲା ବିଜେଡି ନେତା ଓ କର୍ମୀ ‘ଜୟ ଜଗନ୍ନାଥ’ ନାରା ଦେଉଥିବାବେଳେ ବିଜେପି କର୍ମୀ ଓ ନେତା ‘ଜୟ ଶ୍ରୀରାମ’ ନାରା ଦେଉଛନ୍ତି । ଏହି ସମୟରେ ପ୍ରଶାନ୍ତ ହସ ହସ ମୁହଁରେ ‘ଜୟ ଶ୍ରୀରାମ’ ନାରା ଦେଇ ପଦ୍ମ ଧରିଛନ୍ତି ।