ସୋମବାର ପର୍ଯ୍ୟନ୍ତ ସଂସଦ ମୁଲତବୀ

ନୂଆଦିଲ୍ଲୀ: ମୌସୁମୀ ଅଧିବେଶନର ଦ୍ବିତୀୟ ଦିନରେ ମଧ୍ୟ କୌଣସି ଗୃହକାର୍ଯ୍ୟ ହୋଇପାରିନି। ଲଗାତାର ଦ୍ବିତୀୟ ଦିନରେ ମଣିପୁର ହିଂସା ପ୍ରସଙ୍ଗରେ ସଂସଦର ଉଭୟ ଗୃହ ଅଚଳ ହୋଇଯାଇଛି ଏବଂ ସୋମବାର ପର୍ଯ୍ୟନ୍ତ ମୁଲତବୀ ରହିଛି। ବିରୋଧୀ ସଦସ୍ୟମାନେ ମଣିପୁର ପ୍ରସଙ୍ଗରେ ପ୍ରବଳ ହଟ୍ଟଗୋଳ କରି କୌଣସି କାର୍ଯ୍ୟ କରାଇଦେଇନାହାନ୍ତି। ଲୋକସଭାରେ ଶୁକ୍ରବାର ଦିନ ଗୃହ କାର୍ଯ୍ୟ ଆରମ୍ଭ ହେଉହେଉ କଂଗ୍ରେସ, ଡିଏମ୍କେ, ବାମ ଦଳ ଏବଂ ଅନ୍ୟ ବିରୋଧୀ ଦଳ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଯାଇ ହୋହଲ୍ଲା କରିଥିଲେ।
ଲୋକସଭାରେ ଆଜି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଥିଲେ ଯେ ସମଗ୍ର ଦେଶ ମଣିପୁର ପ୍ରସଙ୍ଗରେ ଚିନ୍ତା ପ୍ରକଟ କରିଛନ୍ତି। ଆମେ ମଧ୍ୟ ସମାନ ଭାବେ ଚିନ୍ତିତ। ସରକାର ମଣିପୁର ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ମଧ୍ୟ କହିଥିଲେ ଯେ ଆଲୋଚନା ଦ୍ବାରା ହିଁ ସମାଧାନ ବାହାରି ପାରିବ। କିନ୍ତୁ ଆପଣମାନେ ଆଲୋଚନା ଚାହୁନାହାନ୍ତି। ଗୃହରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାପାଇଁ ସେ ଅନୁରୋଧ କରିଥିଲେ।
କିନ୍ତୁ ଏହା ସତ୍ତ୍ବେ ବିରୋଧୀ ସଦସ୍ୟମାନେ ଆଦୌ କର୍ଣ୍ଣପାତ କରିନଥିଲେ। ଗୃହର ଉପନେତା ରାଜନାଥ ସିଂହ କହିଥିଲେ, ସରକାର ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି, କିନ୍ତୁ ବିରୋଧୀ ଦଳମାନେ ଏଥିପାଇଁ ଗମ୍ଭୀର ନାହାନ୍ତି। ସେମାନେ ଗୃହରେ ଅନର୍ଥ ସୃଷ୍ଟି କରି ଚର୍ଚ୍ଚା କରାଇ ନଦେବା ଲକ୍ଷ୍ୟରେ ରହିଛନ୍ତି ବୋଲି ରାଜନାଥ କହିଛନ୍ତି। ରାଜ୍ୟସଭାରେ ମଧ୍ୟ ଆଜି ସମାନ ସ୍ଥିତି ଉପୁଜିଛି। ପ୍ରବଳ ହଟ୍ଟଗୋଳ ଯୋଗୁଁ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଗୃହକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।