ଜାମ୍ମୁ-କାଶ୍ମୀରର  ସେନା ଗାଡ଼ି ଆକ୍ରମଣ ପଛରେ ପାକ୍‌ ଆତଙ୍କବାଦୀ

ଜାମ୍ମୁ-କାଶ୍ମୀରର  ସେନା ଗାଡ଼ି ଆକ୍ରମଣ ପଛରେ ପାକ୍‌ ଆତଙ୍କବାଦୀ

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରର ପୁଞ୍ଚ ଜିଲାରେ ସେନା ଗାଡି ଉପରେ ହୋଇଥିବା ଗ୍ରେନେଡ ଆକ୍ରମଣ ଘଟଣାରେ ପାକିସ୍ତାନ ଆତଙ୍କବାଦୀଙ୍କ ସମ୍ପୃକ୍ତି ରହିଥିବା ଗୁଇନ୍ଦା ବିଭାଗ କହିଛି। ଆକ୍ରମଣ ଘଟାଇଥିବା ଆତଙ୍କବାଦୀମାନେ ଜୈସ-ଇ-ମହମ୍ମଦ ଓ ଲସ୍କର-ଇ-ତୋଇବା ସଂଗଠନର ବୋଲି କୁହାଯାଇଛି। ଏହି ଦୁଇ ସଂଗଠନର ୭ ଆତଙ୍କବାଦୀ ଆକ୍ରମଣ ଘଟାଇଥିବାବେଳେ ଏମାନଙ୍କ ମଧ୍ୟରୁ ୩ଜଣ ପାକିସ୍ତାନୀ। ଜୈସ-ଇ-ମହମ୍ମଦ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ ପିପୁଲ୍ସ ଆଣ୍ଟି-ଫାସିଷ୍ଟ ଫ୍ରଣ୍ଟ (ପିଏଏଫ୍ଏଫ୍‌) ନିଜକୁ ଆକ୍ରମଣ ପାଇଁ ଦାୟୀ କରିଛି। ମାତ୍ର ଆକ୍ରମଣ ଯୋଜନାରେ ଅଲ-କାଏଦା ସହଯୋଗ କରିଛି। ଏହି ଆକ୍ରମଣ ପାଇଁ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରୁ ଆତଙ୍କବାଦୀମାନେ ଭାରତ ମଧ୍ୟକୁ ଅନୁପ୍ରବେଶ କରିଥିବା ରିପୋର୍ଟ ଉପରେ ଗୁଇନ୍ଦା ବିଭାଗ ତଦନ୍ତ ଚଳାଇଛି। ଆକ୍ରମଣ କରିଥିବା ଆତଙ୍କବାଦୀଙ୍କୁ ଧରିବା ଲାଗି ବାଟା-ଦୋରିଆ ଅଞ୍ଚଳରେ ବ୍ୟାପକ ତଲାସ ଚାଲିଛି।
ତଲାସ ଅଭିଯାନରେ ସନ୍ଧାନୀ କୁକୁର ଓ ଡ୍ରୋନ ବ୍ୟବହାର କରାଯାଇଛି। ଗୁରୁବାର ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ୫ ଯବାନ ହେଲେ ହାବିଲଦାର ମନଦୀପ ସିଂହ, ଲାନ୍ସ ନାଏକ ଦେବାଶିଷ ବିଶ୍ବାଳ, ଲାନ୍ସ ନାଏକ କୁଲୱନ୍ତ ସିଂହ, ସିପାହି ହରେକୃଷ୍ଣ ସିଂହ, ସିପାହି ସେବକ ସିଂହ। ଏହି ୫ ଯବାନଙ୍କ ମଧ୍ୟରୁ ଜଣେ ଓଡିଶାର ହୋଇଥିବାବେଳେ ଅନ୍ୟମାନେ ପଞ୍ଜାବର।