ଆଜି ବିରୋଧୀ ଇଣ୍ଡିଆ ମେଣ୍ଟ ବୈଠକ

ଆଜି ବିରୋଧୀ ଇଣ୍ଡିଆ ମେଣ୍ଟ ବୈଠକ

ନୂଆଦିଲ୍ଲୀ: ଆଜି  ବିରୋଧୀ ‘ଇଣ୍ଡିଆ’ ମେଣ୍ଟ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରାୟ ୩ ମାସ ତଳେ ମୁମ୍ବାଇ ଠାରେ ଅନୁଷ୍ଠିତ ବୈଠକ ପରେ ୨୬ ବିରୋଧୀ ଦଳର ନେତାମାନେ ଏହି ବୈଠକରେ ସାମିଲ ହେବାକୁ ଯାଉଛନ୍ତି। ଗୋଟିଏ ପକ୍ଷରେ ନିକଟରେ ଶେଷ ହୋଇଥିବା ତିନି ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ବିଫଳ ହୋଇଥିଲା ବେଳେ ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଛି। ତେଣୁ ବିଜେପି ବିରୋଧରେ ପୁଣି ଅଣ୍ଟା ଭିଡିବାକୁ ମେଣ୍ଟ ପକ୍ଷରୁ ଗୁରୁତ୍ବ ଦିଆଯାଇ ଏହି ବୈଠକ ଆହୂତ କରାଯାଇଥିବା କୁହାଯାଇଛି।

ଏହି ବୈଠକରେ ୨୦୨୪ ନିର୍ବାଚନ ପାଇଁ ବିଭିନ୍ନ ଦଳ ମଧ୍ୟରେ ଆସନ ବୁଝାମଣାକୁ ନେଇ ଆଲୋଚନା କରାଯିବା ସହିତ ଏଥିନେଇ କିଛି ସ୍ପଷ୍ଟ ରୂପରେଖ ପ୍ରସ୍ତୁତ କରାଯିବ ବୋଲି ସୂଚନା ମିଳିଛି। କିନ୍ତୁ ବିଗତ ଦିନରେ ଏହି ମେଣ୍ଟରେ ସାମିଲ ରହିଥିବା ପ୍ରମୁଖ ଦଳଗୁଡିକର ଆଚରଣ ଏବଂ ଆଭିମୁଖ୍ୟ ଯେଭଳି ରହିଆସିଛି ତାହାକୁ ନେଇ ଆସନ ବୁଝାମଣା କେତେ ଦୂର ସମ୍ଭବ ହେବ ତାହା ଏବେ ରାଜନୀତିକ ମହଲରେ ଆଲୋଚ୍ୟର ବିଷୟ ହୋଇଛି। ବିଶେଷକରି କଂଗ୍ରେସ, ଜେଡିୟୁ, ଟିଏମସି, ଆମ୍‌ ଆଦମୀ ପାର୍ଟି, ଏନସିପି ଏବଂ ସମାଜବାଦୀ ପାର୍ଟି ଭଳି ପ୍ରମୁଖ ଦଳୀୟ ନେତା ବିଜେପି ବିରୋଧରେ ଏକାଠି ଲଢିବାକୁ ପଣ କରିଥିଲେ ହେଁ ଦଳୀୟ ନେତାଙ୍କ ମଧ୍ୟରେ ସେଭଳି ଦାମ୍ଭିକତା ଦେଖାଯାଉ ନାହିଁ ବୋଲି ରାଜନୀତିକ ବିଶାରଦମାନେ ମତ ଦେଇଛନ୍ତି। ଏହି ବୈଠକକୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଆସିବେ କି ନାହିଁ ତାହା ସ୍ପଷ୍ଟ କରି ନଥିଲା ବେଳେ ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ନେଇ ମଧ୍ୟ ସଂଶୟ ଲାଗି ରହିଛି। ସେହିପରି ଜେଡିୟୁ ମୁଖ୍ୟ ନୀତୀଶ କୁମାର ମଧ୍ୟ ନିଜେ ଉପସ୍ଥିତ ନରହି ଲଲନ ସିଂଙ୍କୁ ପଠାଇପାରନ୍ତି ବୋଲି କୁହାଯାଉଛି।
ଅନ୍ୟପକ୍ଷରେ ଏହି ବୈଠକରେ ଯୋଗ ଦେବାକୁ ଏନସିପି ନେତା ଶରଦ ପାୱାର ମଧ୍ୟ ସ୍ପଷ୍ଟ କରିନାହାନ୍ତି। ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ବୈଠକରେ ଯୋଗ ଦେବାକୁ ଦିଲ୍ଲୀ ଆସୁଥିବା ଗଣମାଧ୍ୟମକୁ ସୂଚନା ଦେଇଥିଲେ ହେଁ ସେ ପରେ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ମେଣ୍ଟରେ ସାମିଲ ରହିଥିବା ୬ ବାମପନ୍ଥୀ ଦଳର ଆଭିମୁଖ୍ୟ ମଧ୍ୟ ବେଳକୁ ବେଳ ଭିନ୍ନ ହେବାରେ ଲାଗିଛି ବୋଲି କୁହାଯାଉଛି।