ଆସନ୍ତା ୧୯ ତାରିଖ ଗ୍ରୀଡ଼କୋ କାର୍ଯ୍ୟାଳୟ ଘେରାଉ କାର୍ଯ୍ୟକ୍ରମକୁ ସଫଳ କରିବା ଓପିସିସି ସଭାପତିି ଶରତ ପଟ୍ଟନାୟକଙ୍କ ନିବେଦନ
opcc sarat patnaik
ଭୁବନେଶ୍ୱର – ୧୭/୦୬/୨୩ ରିଖ : ପ୍ରଚଣ୍ଡ ରୌଦ୍ରତାପରେ ସମଗ୍ର ଓଡ଼ିଶା ସିଝୁଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ରାଜ୍ୟବାସୀଙ୍କ ସମସ୍ୟା ପ୍ରତି ଉଦାସୀନ ରହି ଦାଉ ସାଧୁଛନ୍ତି । ରାଜ୍ୟ ବିଜେଡ଼ି ସରକାର ରାଜ୍ୟବାସୀଙ୍କ ନିରବଚ୍ଛିନ୍ନ ତଥା ଗୁଣାତ୍ମକ ବିଜୁଳି ଯୋଗାଣ ପାଇଁ ଦେଇଥିବା ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହୋଇଛି । ସମଗ୍ର ରାଜ୍ୟରେ ଘନ ଘନ ବିଜୁଳି କାଟ ଓ ଲୋ-ଭୋଲଟେଜ ଯୋଗୁଁ ଜୀବନ ଦୁର୍ବିସହ ହୋଇପଡ଼ିଛି । ଭିତିଭୂମି ଅଭାବ ହେତୁ ବିଜୁଳି ଯୋଗାଇବା ବ୍ୟାହତ ହେଉଥିବା ସ୍ୱୟଂ ଶକ୍ତିମନ୍ତ୍ରୀ ସ୍ୱୀକାର କରିଛନ୍ତି । ରାଜ୍ୟ ରାଜଧାନୀ ମଧ୍ୟ ବିଜୁଳି ବିଭ୍ରାଟର ପୀଡ଼ା ଭୋଗୁଛି । ଭିତିଭୂମି ବାବଦରେ ବ୍ୟୟ ବରାଦ ହୋଇଥିବା ୨୦ ହଜାର କୋଟିର ସଦୂପଯୋଗ ବାବଦରେ ସାଧାରଣରେ ପ୍ରଶ୍ନ ଉଠିଛି । ରାଜ୍ୟ କଂଗ୍ରେସ ଏ ସଂକ୍ରାନ୍ତରେ ସରକାରଙ୍କ ଠାରୁ ଶ୍ୱେତପତ୍ର ଦାବି କରିଛି । ଏଥି ସାଙ୍ଗକୁ ବିଜୁଳି ଦେୟ କ୍ଷେତ୍ରରେ ସାଧାରଣ ଖାଉଟିଙ୍କୁ ଶୋଷଣ କରାଯାଉଛି । ଗତ କଂଗ୍ରେସ ସରକାରଙ୍କ ସମୟରେ ବିଦ୍ୟୁତ ଦେୟ ତୁଳନାରେ ଏହା ୨୫୦ ପ୍ରତିଶତ ବୃଦ୍ଧି ପାଇଛି । ରାଜ୍ୟବାସୀଙ୍କୁ ବିଜୁଳିକାଟ ଜନିତ ଯନ୍ତ୍ରାଣାରୁ ମୁକ୍ତ କରିବା ଓ ଅବିଚାରିତ ବିଦ୍ୟୁତ ଦେୟର ପରିମାଣ ହ୍ରାସ କରିବା ଦାବିରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଆସନ୍ତା ଜୁନ୍ ୧୯ ତାରିଖ, ସୋମବାର ଦିବା ୧୧ ଘଟିକା ସମୟରେ ଭୁବନେଶ୍ୱର ସହୀଦ ନଗରସ୍ଥ ଗ୍ରୀଡ଼କୋ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଦେଶ କଂଗ୍ରେସ ତରଫରୁ ଗଣ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ଆସନ୍ତା ୧୯ ତାରିଖ ଗ୍ରୀଡ଼୍କୋ କାର୍ଯ୍ୟାଳୟ ଘେରାଉ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ରାଜ୍ୟ କଂଗ୍ରେସର ବରିଷ୍ଠ ନେତୃବୃନ୍ଦ, କର୍ମୀ ଓ କର୍ମକର୍ତା, ଦଳର ସମସ୍ତ ଛାମୁଆ ସଂଗଠନ, ପ୍ରକୋଷ୍ଠ ଓ ବିଭାଗର ସମସ୍ତ କର୍ମର୍କତା ଯୋଗ ଦେବା ପାଇଁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ନିବେଦନ କରିଛନ୍ତି । ଏହି ଅବସରରେ ଶ୍ରୀ ପଟ୍ଟନାୟକ ବିଦ୍ୟୁତ ଉପଭୋକ୍ତା ଓ ଜନସାଧାରଣଙ୍କ ସହଯୋଗ ମଧ୍ୟ କାମନା କରିଛନ୍ତି ବୋଲି ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।




