କିଏ ହେବେ ପିସିସି ସଭାପତି ? ଆରମ୍ଭ ହୋଇଗଲାଣି ଲବି
ଭୁବନେଶ୍ୱର : ନିର୍ବାଚନ ପରେ କଂଗ୍ରେସର ବିପର୍ଯ୍ୟୟ ପାଇଁ ପିସିସି ସଭାପତି ନିଜକୁ ଦାୟୀ କରି ଇସ୍ତଫା ଦେଇଥା’ନ୍ତି । ଏହାପରେ କଂଗ୍ରେସରେ ପିସିସି ସଭାପତି ପାଇଁ ଲବି ଆରମ୍ଭ ହୋଇଯାଏ । ବର୍ଷ ବର୍ଷ ଧରି କଂଗ୍ରେସରେ ଏହି ପରମ୍ପରା ଚାଲିଆସିଛି । ପରମ୍ପରାକୁ ଭଲ ପାଉଥିବା ରାଜ୍ୟ କଂଗ୍ରେସରେ ଏବେ ଅନୁରୂପ ସ୍ଥିତି ସୃଷ୍ଟିହୋଇଛି । ଅନିଚ୍ଛା ସତ୍ତେ୍ୱ ପିସିସି ସଭାପତି ଶରତ ପଟ୍ଟନାୟକ ନିଜ ପଦ ଛାଡ଼ିଥିବା ନେଇ କଂଗ୍ରେସ ଅଳିନ୍ଦରେ ଚର୍ଚ୍ଚା ହେଉଛି । ଏନେଇ କିନ୍ତୁ ଏଯାଏଁ ଶରତ କିଛି ସ୍ପଷ୍ଟ କରିନାହାନ୍ତି । ତେବେ ସେ ଯାହାହେଉନା କାହିଁକି, ପରବର୍ତ୍ତୀ ପିସିସି ସଭାପତି ପଦ ପାଇଁ ଲବି ଆରମ୍ଭ ହୋଇଯାଇଛି ।
ନିରଞ୍ଜନଙ୍କ ଅମଳରୁ ପିସିସି ସଭାପତି ପଦ ପାଇଁ ଲବି କରି ଆସୁଥିଲେ ମହମ୍ମଦ ମୋକିମ୍ । କିନ୍ତୁ ଏଥର ସେ ନିର୍ବାଚନ ଲଢ଼ିନପାରିବାରୁ ତାଙ୍କ ଝିଅ ବିଧାୟିକା ହୋଇଛନ୍ତି । ମୋକିମ ଆଉ ପିସିସି ସଭାପତି ପଦ ପାଇଁ ଆଗ୍ରହୀ ନଥିଲେ ମଧ୍ୟ ସେ କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ପାଇଁ ଲବି କରୁଥିବା ଚର୍ଚ୍ଚା ହେଉଛି । ସେହିପରି ଶରତ ମଧ୍ୟ ସପ୍ତଗିରିଙ୍କ ସପକ୍ଷରେ ବ୍ୟାଟିଂ କରୁଥିବା ଜାଣିବାକୁ ମିଳିଛି । ୨୦୧୯ ଓ ୨୦୨୪ ନିର୍ବାଚନରେ କଂଗ୍ରେସର ଏକମାତ୍ର ସାଂସଦ ଭାବେ ସପ୍ତଗିରି ନିର୍ବାଚିତ ହୋଇଛନ୍ତି । ଯେଉଁଥିପାଇଁ ଦିଲ୍ଲୀରେ ବି ତାଙ୍କର ଭାଉ ବଢ଼ିଯାଇଛି ।
ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ପୂର୍ବାପେକ୍ଷା ବେଶ୍ ସକ୍ରିୟ ଅଛନ୍ତି । ଗତ କିଛିବର୍ଷ ଧରି ପ୍ରସାଦ ପିସିସି ରାଜନୀତିରେ ମୁଣ୍ଡ ଖେଳାଉନଥିଲେ । କିନ୍ତୁ ଗତ କିଛି ମାସ ଧରି ପ୍ରସାଦ ସକ୍ରିୟ ଭୂମିକା ନେଉଥିବାରୁ ସେ ବି ଆଗ୍ରହୀ ଥିବା ଜଣାପଡ଼ିଛି ।
ନର୍ଲାରୁ ବିଧାନସଭା ନିର୍ବାଚନ ହାରିବା ପରେ ଭକ୍ତ ଚରଣ ଦାସ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କ ପୁଅ ସାଗର ଚରଣ ଦାସ ଏବେ ଭବାନୀପାଟଣାରୁ ବିଧାୟକ ଅଛନ୍ତି । ଭକ୍ତ ମଧ୍ୟ ପରବର୍ତ୍ତୀ ପିସିସି ସଭାପତି ରେସ୍ରେ ଅଛନ୍ତି । ଦିଲ୍ଲୀରେ ଭକ୍ତଙ୍କର ମଧ୍ୟ ବେଶ ଖାତିର ରହିଛି ।
ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଉ କଂଗ୍ରେସ ରାଜନୀତିରେ ସକ୍ରିୟ ନାହାନ୍ତି । ଆଗକୁ ସେ ନିର୍ବାଚନ ଲଢ଼ିବାକୁ ଚାହୁଁନଥିବାରୁ ସକ୍ରିୟ ରାଜନୀତିରୁ ଅବସର ନେବାକୁ ଚିନ୍ତା କରୁଛନ୍ତି । ତେଣୁ ସେ ଆଉ ପୂର୍ବଭଳି ପିସିସି ପାଇଁ ଆଗ୍ରହୀ ନୁହଁନ୍ତି । ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ମଧ୍ୟ ଆଗ୍ରହୀ ନଥିବା ଚର୍ଚ୍ଚା ହେଉଛି । ଅନ୍ୟ ରାଜ୍ୟ ଢାଂଚାରେ କଂଗ୍ରେସ ଯୁବ ପୀଢ଼ିଙ୍କୁ ଅଗ୍ରାଧିକାର ଦେବବୋଲି କୁହାଯାଉଛି । ଆଗକୁ ପିସିସି ସଭାପତି ପଦ ପାଇଁ କଂଗ୍ରେସର ଦିଲ୍ଳୀ ଚଲୋ ଅଭିଯାନ ଆରମ୍ଭ ହୋଇଯିବ ।