ASO ବୈକୁଣ୍ଠନାଥ ପ୍ରଧାନଙ୍କ ବଦଳିକୁ ନେଇ ଉଠିଲା ପ୍ରଶ୍ନ

ASO ବୈକୁଣ୍ଠନାଥ ପ୍ରଧାନଙ୍କ ବଦଳିକୁ ନେଇ ଉଠିଲା ପ୍ରଶ୍ନ

ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାରଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଆସିଷ୍ଟାଂଟ ସେକ୍ସନ ଅଫିସର ବୈକୁଣ୍ଠ । ଯାହାଙ୍କୁ ଗୃହ ବିଭାଗକୁ ବଦଳି କରାଯାଇଛି, ତେବେ ଏ ନେଇ ଗୃହ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜରୀକରି ସୂଚନା ଦିଆଯାଇଛି । ପୂର୍ବରୁ ସଂସଦୀୟ ବ୍ୟାପାର ବିଭାଗରେ କାର୍ଯ୍ୟରତ ଏଏସଓ ପ୍ରଧାନ ରାଜଭବନକୁ ଡେପୁଟେସନରେ ଯାଇଛନ୍ତି । ଆଜି ତାଙ୍କୁ ଗୃହ ବିଭାଗକୁ ବଦଳି କରାଯିବା ସହ ଖାଲିଥିବା ପଦବୀରେ ନିଯୁକ୍ତି ମିଳିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି ।

ସୂଚନା ମୁତାବକ ବୈକୁଣ୍ଠ ରାଜ୍ୟପାଳଙ୍କ ପୁଅ ଲଳିତଙ୍କ ବିରୁଦ୍ଧରେ ମରଣାନ୍ତକ ଆକ୍ରମଣର ଅଭିଯୋଗ ଆଣିଥିଲେ । ଏପରିକି ପୁରୀ ସମୁଦ୍ରକୂଳ ଥାନାରେ ମଧ୍ୟ ଏନେଇ ବିଧିବଦ୍ଧ ଏତଲା ରୁଜୁ ହୋଇଥିଲା । ପରେ ସଚିବାଳୟ ସେବା ସଂଘର  ସହଯୋଗରେ ଏହି ଅଭିଯୋଗ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟପାଳ ରଘୁବର ଦାସଙ୍କୁ ସପତ୍ନୀକ ଭେଟି ନିଜର ଅଭିଯୋଗ ଜଣାଇଥିଲେ । ସରକାର ତାଙ୍କୁ ନ୍ୟାୟ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ରାଜ୍ୟପାଳ ଶ୍ରୀ ଦାସ ନିଜେ ଏହି ଘଟଣାରେ ହସ୍ତକ୍ଷେପ କରି ପୀଡ଼ିତ ଓ ତାଙ୍କ ପତ୍ନୀଙ୍କୁ ଡାକି ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ । ଏହାସହିତ ସେମାନଙ୍କୁ ଉପଯୁକ୍ତ ନ୍ୟାୟ ୭ଦିନ ମଧ୍ୟରେ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।