କେନ୍ଦ୍ରର ସର୍ଭେ ରିପୋର୍ଟ: ଓଡ଼ିଶାର ଆଉ ଏକ ସଫଳତା, ଜାଣନ୍ତୁ କ’ଣ
ଭୁବନେଶ୍ବର: ବେକାରୀ ହ୍ରାସରେ ଓଡ଼ିଶା ସାରା ଦେଶରେ ଆଗରେ । କେନ୍ଦ୍ର ସରକାରଙ୍କ ନିୟମିତ ଶ୍ରମଶକ୍ତି ସର୍ଭେ ପିଏଲ୍ଏଫ୍ଏସ୍ ଅନୁସାରେ ୨୦୨୩ ଏପ୍ରିଲ୍-ଜୁନ ମାସ ମଧ୍ୟରେ ଓଡ଼ିଶାର ସହରାଞ୍ଚଳରେ ବେକାରୀ ହାର ୬.୭ ପ୍ରତିଶତକୁ ହ୍ରାସ ପାଇଛି । ସେହିପରି ଶ୍ରମଶକ୍ତିରେ ଯୋଗଦାନ ହାର ବର୍ଷକ ମଧ୍ୟରେ ୫୭.୨ରୁ ୭୧.୨ ପ୍ରତିଶତକୁ ବୃଦ୍ଧି ପାଇଛି । କେନ୍ଦ୍ର ସର୍ଭେ ରିପୋର୍ଟ ଆସିବା ପରେ ଯାହା ସତ୍ୟ, ତାହା ପୂରା ଦେଶ ସ୍ବୀକାର କରିଥିବା କହିଛି ବିଜେଡି । ଏହା କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକଙ୍କ ଯୋଗୁଁ ସମ୍ଭବ ହୋଇଛି ବୋଲି ଦଳ ପକ୍ଷରୁ କୁହାଯାଇଛି ।
ଓଡ଼ିଶାକୁ କେନ୍ଦ୍ରର ଆଉ ଏକ ସାର୍ଟିଫିକେଟ୍ । ଓଡ଼ିଶାରେ କମିଛି ବେକାରୀ । ଓଡ଼ିଶାରେ ୬.୭ ପ୍ରତିଶତକୁ ହ୍ରାସ ପାଇଛି ବେକାରୀ । ବଡ଼ବଡ଼ ରାଜ୍ୟଙ୍କୁ ପଛରେ ପକାଇଛି ଓଡ଼ିଶା । ରୂପାନ୍ତରଣ ପଥରେ ଓଡ଼ିଶା ଆଗକୁ ଚାଲିଛି । ଆର୍ଥିକ ପରିଚାଳନାରେ ସଶକ୍ତ ହେବା ଓ ମୁଣ୍ଡପିଛା ଋଣ କମିବା ସହ ଦ୍ରୁତଗତିରେ ହ୍ରାସ ପାଇଛି ବେକାରୀ । ୨୦୨୩ ଏପ୍ରିଲ୍-ଜୁନ ମାସ ମଧ୍ୟରେ ଓଡ଼ିଶାର ସହରାଞ୍ଚଳରେ ବେକାରୀ ହାର ସବୁ ବୟସ ବର୍ଗରେ ୬.୭ ପ୍ରତିଶତକୁ ହ୍ରାସ ପାଇଛି । ଗତବର୍ଷ ଏହି ସମୟରେ ଏହା ୧୧.୫ ପ୍ରତିଶତ ଥିଲା । ମହିଳାଙ୍କ କ୍ଷେତ୍ରରେ ବେକାରୀ ହାର ବର୍ଷକ ମଧ୍ୟରେ ୧୭.୬ ପ୍ରତିଶତରୁ ୮.୫ ପ୍ରତିଶତକୁ ହ୍ରାସ ପାଇଛି । ପୁରୁଷଙ୍କ କ୍ଷେତ୍ରରେ ଏହା ୧୦ ପ୍ରତିଶତରୁ ୬.୨ ପ୍ରତିଶତକୁ ହ୍ରାସ ପାଇଛି । ଶ୍ରମଶକ୍ତିରେ ଯୋଗଦାନ ହାର ୧୫ରୁ ୨୯ ବର୍ଷ ବୟସ ବର୍ଗର ପୁରୁଷଙ୍କ କ୍ଷେତ୍ରରେ ୨୦୨୨ ଏପ୍ରିଲ୍ -ଜୁନରୁ ୨୦୨୩ ଏପ୍ରିଲ୍ ଜୁନ୍ ମଧ୍ୟରେ ୫୭.୨ ପ୍ରତିଶତରୁ ୭୧.୨ ପ୍ରତିଶତକୁ ବୃଦ୍ଧି ପାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶା ଆର୍ଥିକ ପରିଚାଳନାରେ ପୂରା ଦେଶକୁ ବାଟ ଦେଖାଇଥିବା ବେଳେ ଏବେ ବେକାରୀ ହ୍ରାସରେ ନୂଆ ରେକର୍ଡ କରିଛି ।




admin 