ପ୍ରତାରକ ସରକାରଙ୍କ ଗ୍ୟାରେଂଟିକୁ ବିଶ୍ୱାସ କରନାହିଁ- ଛାତ୍ର କଂଗ୍ରେସ

ପ୍ରତାରକ ସରକାରଙ୍କ ଗ୍ୟାରେଂଟିକୁ ବିଶ୍ୱାସ କରନାହିଁ- ଛାତ୍ର କଂଗ୍ରେସ
ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ଛାତ୍ର କଂଗ୍ରେସର ସମ୍ପାଦିକା ମନୀଷା ତି୍ରପାଠୀ ଏକ ସାମ୍ବାଦିକ ସମ୍ମିଳନୀରେ ଉଭୟ ମୋଦି ଓ ନବୀନ ଓ ସରକାରକୁ ପ୍ରତାରକ ସରକାର ବୋଲି କହିଛନ୍ତି । ଏମାନଙ୍କ ଗ୍ୟାରେଂଟି ଉପରେ ସାଧାରଣ ଜନତା ଭରଷା ନ କରିବା ପାଇଁ ସେ ନିବେଦନ କରିଛନ୍ତି । କାରଣ ୨୫ ବର୍ଷର ନବୀନ ସରକାର ଏବଂ ୧୦ ବର୍ଷର ମୋଦୀ ସରକାର ସେମାନଙ୍କର ନିର୍ବାଚନୀ ଇସ୍ତାହାରରେ ଥିବା ପ୍ରତିଶ୍ରୁତିକୁ ପାଳନ କଲେ ନାହିଁ । ବିଶେଷ କରି ଭୁବନେଶ୍ୱର ବାସୀଙ୍କୁ ନବୀନ ସରକାର ପ୍ରତାରିତ କରିଛନ୍ତି । ଏଠାରେ ସ୍ମାର୍ଟସିଟିର ଦୃଶ୍ୟ ହୃଦୟ ବିଦାରକ । କାରଣ ବର୍ଷାଦିନରେ ଭୁବନେଶ୍ୱରରେ ନିକଟସ୍ଥ ଦୟାନଦୀ ଏବଂ କୁଆଖାଇ ନଦୀ ଠାରୁ ଅଧିକ ପାଣି ଜମା ହୋଇଯାଏ । ଡ୍ରେନ ଓ ରାସ୍ତାର ବ୍ୟବସ୍ଥାର ସୁଧାର ପାଇଁ ନବୀନ ସରକାର ହଜାର କୋଟି ଟଙ୍କା ଅନୁଦାନ ଘୋଷଣା କଲେ । ସେ ଟଙ୍କା ଗଲା କୁଆଡ଼େ । ଭୁବନେଶ୍ୱରରେ ଯାହାବି ସରକାରୀ ଯୋଜନାର କାର୍ଯ୍ୟ ହୋଇଛି ତାହା ଅତି ନିମ୍ନମାନର । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ବାଉଣ୍ଡରି ୱାଲ ନିର୍ମାଣର ଦୁଇମାସ ଭିତରେ ଭୁଷୁଡ଼ି ପଡ଼ିଥିବା ବେଳେ ବମିଖାଲ ବ୍ରିଜ ନିର୍ମାଣ ସମୟରେ ଦୁଇଥର ଭୁଷୁଡ଼ିପଡ଼ି ତିନୋଟି ଜୀବନ ନେଇଛି । ଯେଉଁ ବ୍ୟକ୍ତି ଏହି ବ୍ରିଜ ନିର୍ମାଣ ଦାୟୀତ୍ୱରେ ଥିଲେ ତାଙ୍କୁ ବିଜେଡ଼ି ଦଳ ୨୦୧୯ ମସିହାରେ ସାଂସଦ ପ୍ରାର୍ଥୀରୂପେ ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ଛିଡ଼ା କରିଥିଲେ । ଭୁବନେଶ୍ୱରରେ ଡ୍ରେନ ସବୁ ମୁକୁଳା ପଡ଼ିଛି । ୭ ବର୍ଷରେ ୮ ଜଣ ଲୋକ ଡ୍ରେନରେ ପଡ଼ି ମଲେଣି । ଭୁବନେଶ୍ୱରର ଉକôଳ ବିଶ୍ୱବିଦ୍ୟାଳୟ, ରମାଦେବୀ ବିଶ୍ୱବିଦ୍ୟାଳୟଠୁ ଆରମ୍ଭ କରି ଏଠାରେ ଥିବା ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନରେ ଶିକ୍ଷକ ମରୁଡ଼ି ।  ସରକାରୀ ହସପିଟାଲ ଗୁଡ଼ିକରେ ଡାକ୍ତରଙ୍କ ଅଭାବ ରହିଛି । ଭୁବନେଶ୍ୱରରେ ୨୦୦୦ ମସିହା ପରଠାରୁ କୌଣସି ସରକାରୀ ଶିକ୍ଷାନୁଷ୍ଠାନ ଓଡ଼ିଶା ସରକାର ଖୋଲିନଥିଲା ବେଳେ ଏଠାରେ ୫୦୦ ରୁ ଉଦ୍ଧ୍ୱର୍ ବେସରକାରୀ ସ୍କୁଲ କଲେଜ ଖୋଲିଛି । ଅର୍ଥାତ ଶିକ୍ଷା ବ୍ୟବସାୟୀ ମାନଙ୍କୁ ସରକାର ପ୍ରୋତ୍ସାହନ ଦେଉଛନ୍ତି ଯାହା ଫଳରେ ଗରିବ ପିଲା ପାଠ ପଢ଼ିପାରିବେ ନାହିଁ । ଓଡ଼ିଶାରେ ୭ ହଜାର ସ୍କୁଲକୁ ବନ୍ଦ କରିଦିଆଗଲା । ଶିକ୍ଷା ବ୍ୟବସାୟୀମାନଙ୍କୁ ଉତ୍ସାହିତ କରାଗଲା ।  କେବଳ ଫଟା କାନ୍ଥରେ ରଙ୍ଗମାରି ଶିକ୍ଷାନୁଷ୍ଠାନର ରୂପାନ୍ତରଣ କଥା କୁହାଯାଉଛି । 
କଂଗ୍ରେସ ଭୁବନେଶ୍ୱର ସହର ପ୍ରତିଷ୍ଠା କରିଛି । ଭୁବନେଶ୍ୱରରେ ଯାହାବି ବିକାଶ ହୋଇଛି ତାହା କଂଗ୍ରେସର ଅବଦାନ । ଏପରିକି ଏମସ ମଧ୍ୟ ମନମୋହନ ସିଂହଙ୍କ  ସରକାର ସମୟରେ ସଂପୂର୍ଣ୍ଣ ନିର୍ମାଣ ହୋଇଛି । ନାଇଜର, ଆଇଜର, ଟ୍ରିପୁଲ ଆଇଟି, ତିନୋଟି କେନ୍ଦ୍ରୀୟ ବିଦ୍ୟାଳୟ କରାଯାଇଛି । ଭୁବନେଶ୍ୱରକୁ ବିଶ୍ୱସ୍ତରୀୟ ରେଳବାଇ ଷ୍ଟେସନ କରିବାପାଇଁ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା ଏପର୍ଯ୍ୟନ୍ତ ପୂର୍ଣ୍ଣ ହୋଇପାରିଲା ନାହିଁ । 
କରୋନା ସମୟରେ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା କେଉଁଠି ଥିଲେ ବୋଲି ମନୀଷା ତ୍ରିପାଠୀ ପ୍ରଶ୍ନ କରିଛନ୍ତି । ସେ ଜଣେ ମହିଳା ହୋଇଥିଲେ ମଧ୍ୟ ହାଣ୍ଡି ଶାଳରେ ଆଜି ଯେଉଁ ଦୁରବସ୍ଥା ହୋଇଛି ସେ ସମ୍ପର୍କରେ ପଦଟିଏ କହିନାହାନ୍ତି । ବିଜେବି କଲେଜରେ ଚର୍ଚ୍ଚିତ ରୂଚିକା ମହାନ୍ତି ମୃତୁ୍ୟ ଘଟଣାରେ ମୁହଁ ଖୋଲି ନାହାନ୍ତି । ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଥିବା ବେସରକାରୀ ପ୍ରତିଷ୍ଠାନରେ ସ୍ଥାନୀୟ ବେକାର ଯୁବକ ଯୁବତୀ ମାନଙ୍କର ନିଯୁକ୍ତି ପାଇଁ ଦାବି କରିନାହାନ୍ତି । ବସ୍ତିବାସିନ୍ଦାଙ୍କର ଦୁଃଖ ବୁଝି ନାହାନ୍ତି । ସେ ଭୁବନେଶ୍ୱର ମହାନଗର ନିଗମର କାର୍ଯ୍ୟନିର୍ବାହୀ ଅଧିକାରୀ ମଧ୍ୟ ଥିଲେ । ଭୁବନେଶ୍ୱର ଦୂରାବସ୍ଥା ପାଇଁ ସେ ମଧ୍ୟ ଦାୟୀ । ଭୁବନେଶ୍ୱରରେ ଆଜି ଯେଉଁ ଅବାସ ଯୋଜନା କାର୍ଯ୍ୟକାରୀ ହୋଇପାରିଛି ତାହା କଂଗ୍ରେସ ଅମଳର ରାଜୀବ ଆବାସ ଯୋଜନା ପାଇଁ ସମ୍ଭବ ହୋଇଛି । ୧୯୯୮ ମସିହା ପରଠାରୁ ୨୦୧୯ ମସିହା ପର୍ଯ୍ୟନ୍ତ ଏକ ଦୀର୍ଘ ସମୟ ଭୁବନେଶ୍ୱରରେ ବିଜୁ ଜନତା ଦଳର ସାଂସଦ ନିର୍ବାଚିତ ହେଉଥିବା ବେଳେ ଭୁବନେଶ୍ୱରର ବିକାଶ ପାଇଁ ବିଜେଡ଼ି ସରକାର କିଛି କାର୍ଯ୍ୟ କରିନାହିଁ । ଗତଥର ଯିଏ ପ୍ରାର୍ଥୀଥିଲେ ନିର୍ବାଚନ ପରେ ତାଙ୍କର ଦେଖା ମିଳିଲା ନାହିଁ । ଏବେ ଯିଏ ବିଜେଡ଼ିର ପ୍ରାର୍ଥୀ ହୋଇଛନ୍ତି ସେ ତାଙ୍କ ବାପାଙ୍କ ପରିଚୟରେ ପରିଚିତ । ତାଙ୍କର ରାଜୈନତିକ ବା ସମାଜ ସେବା କ୍ଷେତ୍ରରେ କୌଣସି ଭୂମିକା ନାହିଁ । ସୁତରାଂ ଭୁବନେଶ୍ୱର ବାସୀଙ୍କ ପାଇଁ ପ୍ରଦେଶ ଛାତ୍ର କଂଗ୍ରେସର ସଭାପତି ସୟଦ ୟାସିର ନୱାଜ ଜଣେ ଯୋଗ୍ୟତମ ସାଂସଦ ପ୍ରାର୍ଥୀ । ସେ ଉଭୟ ନବୀନ ଓ ମୋଦୀ ସରକାରର ଭ୍ରଷ୍ଟାଚାର ବିରୁଦ୍ଧରେ କ୍ରମାଗତ ରାଜରାସ୍ତାରେ ଲଢ଼େଇ କରୁଛନ୍ତି । ୟାସିର ନୱାଜଙ୍କୁ ଭୁବନେଶ୍ୱରର ସାଂସଦପ୍ରାର୍ଥୀ ଭାବରେ ଜୟଯୁକ୍ତ କରିବାକୁ ମନୀଷା ତ୍ରିପାଠୀ ନିବେଦନ କରିଥିଲେ । ଯେଉଁ ଦୁଇଟି ଦଳ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି, ଦରଦାମ ନିୟନ୍ତ୍ରଣ, ଚାଷ ଓ ଚାଷୀର ବିକାଶ, ମହିଳାଙ୍କୁ ସୁରକ୍ଷା, ସ୍ୱାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥାର ପ୍ରଗତୀର ପ୍ରତିଶ୍ରୁତି ଦେଇ ବିଫଳ ହୋଇଛନ୍ତି ସେମାନଙ୍କ ଗ୍ୟାରେଂଟିକୁ ବିଶ୍ୱାସ ନକରିବାକୁ ମନୀଷା ତ୍ରିପାଠୀ ନିବେଦନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ଛାତ୍ର କଂଗ୍ରେସର          ସାଧାରଣ ସମ୍ପାଦିକ ସୁଶ୍ରୀ ମହାନ୍ତି, ସିଦ୍ଧାନ୍ତ ଓମ ପ୍ରକାଶ ପ୍ରମୁଖ ଉପସ୍ଥିତ ଥିଲେ ।