ଆଜି ନିଟ୍ ୟୁଜି ପରୀକ୍ଷା
ଭୁବନେଶ୍ୱର: ରବିବାର ମେଡିକାଲ୍ ଓ ଡେଣ୍ଟାଲ୍ ସ୍ନାତକ ପଢ଼ିବା ପାଇଁ ନ୍ୟାସନାଲ୍ ଏଲିଜିବିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ୍ (ନିଟ୍ ୟୁଜି) ଅନୁଷ୍ଠିତ ହେବ । ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି (ଏନ୍ଟିଏ) ଦ୍ୱାରା ଆୟୋଜିିତ ଏହି ପରୀକ୍ଷା ଅପରାହ୍ଣ ୨ଟାରୁ ୫ଟା୨୦ ପର୍ୟ୍ୟନ୍ତ ଚାଲିବ । ରାଜ୍ୟରେ ୫୭ ହଜାର ପରୀକ୍ଷାର୍ଥୀ ୨୭ ସହରର ୧୨୫ଟି କେନ୍ଦ୍ରରେ ପରୀକ୍ଷା ଦେବେ । କେବଳ ରାଜଧାନୀ ଭୁବନେଶ୍ୱରରେ ୨୨ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ରାଜଧାନୀର ଏହି କେନ୍ଦ୍ରଗୁଡିକରେ ୧୪ ହଜାର ୪୮୧ ଜଣ ପରୀକ୍ଷା ଦେବେ ।
ଓଡ଼ିଶାରେ ଅନୁଗୁଳ, ବଲାଙ୍ଗୀର, ଭୁବନେଶ୍ୱର, କଟକ, ରାଇରଙ୍ଗପୁର, ମାଲକାନଗିରି, ଜୟପୁର, ରାଉରକେଲା, ସମ୍ୱଲପୁର, ଭଦ୍ରକ, ଝାରସୁଗୁଡ଼ା, ଭବାନୀପାଟଣା, ବାଲେଶ୍ୱର, ବ୍ରହ୍ମପୁର, ଜୟପୁର, କେନ୍ଦ୍ରାପଡ଼ା, ନବରଙ୍ଗପୁର, ନୂଆପଡ଼ା, ଜଗତସିଂହପୁର, ଢେଙ୍କାନାଳ, ପୁରୀ, ବରଗଡ଼, ରାୟଗଡ଼ା, ପାରଳାଖେମୁଣ୍ଡି, ଫୁଲବାଣୀ, କେନ୍ଦୁଝର, ବାରିପଦା ସହରରେ ପରୀକ୍ଷା ହେବ । ନିଟ୍ର ଓଡ଼ିଶା ସଂଯୋଜକ ଡ. ପଲି ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି । ଚଳିତବର୍ଷ ଦେଶରେ ୨୦ ଲକ୍ଷ ୫୯ ହଜାର ୬ଜଣ ଛାତ୍ରଛାତ୍ରୀ ନିଟ୍ ପରୀକ୍ଷା ଦେବେ । ଯାହା ଗତବର୍ଷ ତୁଳନାରେ ଅଢ଼େଇ ଲକ୍ଷ ଅଧିକ । ପରୀକ୍ଷାର୍ଥୀଙ୍କୁ କେବଳ ଆଡମିଟ୍ କାର୍ଡ, ପେନ୍ ଓ ଫଟୋ ପରିଚୟ ପତ୍ର ନେବାକୁ କୁହାଯାଇଛି । ଚଳିତବର୍ଷ ଓଡ଼ିଆ ସମେତ ୧୩ଟି ଭାଷାରେ ପରୀକ୍ଷା ହେବ। ଯେଉଁମାନେ ଇଂରାଜୀରେ ପରୀକ୍ଷା ଦେବେ ସେମାନଙ୍କୁ ଗୋଟିଏ ଭାଷାରେ ପ୍ରଶ୍ନପତ୍ର ମିଳିବ । ଅପରପକ୍ଷେ ଯେଉଁ ଛାତ୍ରଛାତ୍ରୀ ହିନ୍ଦୀ ସମେତ ଆଞ୍ଚଳିକ ଭାଷାରେ ପରୀକ୍ଷା ଦେବେ, ସେମାନଙ୍କୁ ଇଂରାଜୀ ସମେତ ଅନ୍ୟ ମାଧ୍ୟମ ଭାଷାର ପ୍ରଶ୍ନ ଦିଆଯିବ ।




admin 