ଇସ୍ରୋ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ
ଭୁବନେଶ୍ୱର: ଭାରତର ଚନ୍ଦ୍ର ମିଶନ ଚନ୍ଦ୍ରଯାନ-୩ ସଫଳ ହୋଇଛି । ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ ସଫ୍ଟ ଲ୍ୟାଣ୍ଡିଂ କରିଛି। ଭାରତର ସଫଳତାକୁ ନେଇ ଇସ୍ରୋର ସମସ୍ତ ବୈଜ୍ଞାନିକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଚନ୍ଦ୍ରଯାନ-୩ ସଫ୍ଟ ଲ୍ୟାଣ୍ଡିଂ ସମୟରେ ଟିଭିରେ ଏହି ଐତିହାସିକ ମୁହୂର୍ତ୍ତକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଅବଲୋକନ କରୁଥିଲେ। ସମସ୍ତଙ୍କ ଭଳି ମୁଖ୍ୟମନ୍ତ୍ରୀ ଖୁସିରେ ଆତ୍ମହରା ହୋଇ କରତାଳି ଦେଇ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ଚନ୍ଦ୍ରରେ ଲ୍ୟାଣ୍ଡିଂ କରିବା ପରେ ଚନ୍ଦ୍ରଯାନ ସିରିଜ ଫଟୋ ପଠାଇଛି। ଇସ୍ରୋର କଣ୍ଟ୍ରୋଲରୁମ ସହିତ ଲ୍ୟାଣ୍ଡର ବିକ୍ରମର ଯୋଗାଯୋଗ ସ୍ଥାପନ ହେବା ପରେ ଏହି ଫଟୋ ପଠାଇଛି ଲ୍ୟାଣ୍ଡର ବିକ୍ରମ। ଇସ୍ରୋ ପକ୍ଷରୁ ଟ୍ବିଟ କରି ଏହି ସୂଚନା ଦିଆଯାଇଛି । ଏଥିରେ କୁହାଯାଇଛି ଯେ ଚନ୍ଦ୍ରରେ ଅବତରଣ କରିବା ପରେ ଲ୍ୟାଣ୍ଡର ମଡ୍ୟୁଲରେ ଥିବା ହରିଜେଣ୍ଟାଲ ଭେଲୋସିଟି କ୍ୟାମେରା ଚନ୍ଦ୍ରର ଫଟୋ ନେଇଛି। ଓହ୍ଲାଇବା ବେଳେ ଏବଂ ଓହ୍ଲାଇବା ପରର ମଧ୍ୟ ଫଟୋ ନେଇଛି ବିକ୍ରମ। ଏକ ସମତଳ ସ୍ଥାନରେ ଚନ୍ଦ୍ରଯାନ ଛିଡ଼ା ହୋଇଥିବା ଏହି ଫଟୋରୁ ସ୍ପଷ୍ଟ ଭାବେ ଜଣାପଡ଼ୁଛି । ଏଥିରେ ଲ୍ୟାଣ୍ଡର ମଡ୍ୟୁଲର ଛାଇ ମଧ୍ୟ ସ୍ପଷ୍ଟ ଦେଖାଯାଉଛି। ଏହି ଫଟୋକୁ ଚନ୍ଦ୍ରଯାନ ବେଙ୍ଗାଳୁରୁରେ ଥିବା କଣ୍ଟ୍ରୋଲ ରୁମ୍ ମକ୍ସ ଇଷ୍ଟ୍ରାକକୁ ପଠାଇଛି। ଇସ୍ରୋ ଟ୍ବିଟ କରି ଏହି ଫଟୋକୁ ସେୟାର କରିଛି । ଯେଉଁଥିରେ ଚନ୍ଦ୍ରପୃଷ୍ଠର ପଥୁରିଆ ତଥା ସମତଳ ଭୂଇଁର ଚିତ୍ର ଦେଖିବାକୁ ମିଳିଛି। ବିକ୍ରମ ସୁରକ୍ଷିତ ଭାବେ ଚନ୍ଦ୍ରରେ ପହଞ୍ଚିବା ପରେ ପ୍ରଜ୍ଞା ବାହାରକୁ ବାହାରି ଚନ୍ଦ୍ରରେ ବିଚରଣ କରିଛି ।ଚନ୍ଦ୍ରପୃଷ୍ଠରେ ରୋଭର ପ୍ରଜ୍ଞାନ ୧୪ ଦିନ ପର୍ୟ୍ୟନ୍ତ ନିରୀକ୍ଷଣ କରିବ ।




admin 