ନବୀନ ନିବାସ ଗଲେ ସଞ୍ଜୟ-ଉମା

ନବୀନ ନିବାସ ଗଲେ ସଞ୍ଜୟ-ଉମା

ଭୁବନେଶ୍ୱର: ‘ସତ୍ୟବାଦୀ’ ଆସନରୁ ପ୍ରାର୍ଥୀତ୍ୱ ନେଇ ସୃଷ୍ଟ ବିବାଦ ଏବେ ନବୀନ ନିବାସରେ ପହଞ୍ଚିଛି । ଶଙ୍ଖଭବନରେ ସମାଧାନ ହେଲାନି ‘ସତ୍ୟବାଦୀ’ କଳି । ଫଳରେ ଉଭୟ ସଞ୍ଜୟ ଦାସବର୍ମା ଓ ଉମା ସାମନ୍ତରାୟ ନବୀନ ନିବାସ ଯାଇଛନ୍ତି । ସତ୍ୟବାଦୀ କଳି ତେଜିବା ପରେ ବିଜେଡିର ଦୁଇ ବରିଷ୍ଠ ନେତା ସଞ୍ଜୟ ଦାସବର୍ମା ଓ ଉମା ସାମନ୍ତରାୟଙ୍କୁ ଶଙ୍ଖଭବନକୁ ଡକରା ହୋଇଥିଲା । ଉଭୟ ଆଜି ଶଙ୍ଖଭବନରେ ପହଞ୍ଚିବା ପରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ ଶଙ୍ଖଭବନ ପହଞ୍ଚି ଉଭୟଙ୍କ ସହ ଆଲୋଚନା କରିଥିଲେ । ତେବେ ଆଲୋଚନାରେ କୌଣସି ନିଷ୍କର୍ସ ବାହାରିନଥିବାରୁ ସଞ୍ଜୟ ଦାସବର୍ମା ଓ ଉମା ସାମନ୍ତରାୟ ନବୀନ ନିବାସ ଯାଇଥିବା ଜଣାଯାଇଛି । 

ପ୍ରକାଶ ଯେ ବ୍ରହ୍ମଗିରି ସିଟ୍ ଛାଡ଼ି ସତ୍ୟବାଦୀ ବିଧାନସଭା ଆସନରେ ବିଜେଡିରୁ ଲଢ଼ିବେ ବୋଲି ବରିଷ୍ଠ ନେତା ସଞ୍ଜୟ ଦାସବର୍ମା କହିବା ପରେ ବିବାଦ ଉପୁଜିଥିଲା ସୂଚନା ଅନୁଯାୟୀ, ସଞ୍ଜୟ ଦାସବର୍ମା ଧଉଳିଠାରେ ଉଭୟ ସତ୍ୟବାଦୀ ଓ କଣାସ ଅଞ୍ଚଳର କିଛି ଆଗଧାଡ଼ିର ବିଜେଡି କର୍ମୀଙ୍କୁ ନେଇ ବୈଠକ କରିଥିଲେ। ସେହି ବୈଠକରେ ସତ୍ୟବାଦୀରୁ ପ୍ରାର୍ଥୀ ହେବାକୁ ସଞ୍ଜୟ ଦାସବର୍ମାଙ୍କୁ ଗ୍ରୀନ ସିଗନାଲ ମିଳିଥିବା କହୁଥିବା ଏକ ସୋଶାଲ ମିଡିଆରେ ଭିଡିଓ ଭାଇରାଲ୍ ହୋଇଥିଲା। ସଞ୍ଜୟଙ୍କ ଏହି ଭିଡିଓକୁ ନେଇ ସତ୍ୟବାଦୀ ଅଞ୍ଚଳରେ ବେଶ୍ ଗୁଞ୍ଜରଣ ସୃଷ୍ଟି କରିଥିଲା। 

ଅନ୍ୟପକ୍ଷରେ ଏହି ଘଟଣା ଉପରେ ପ୍ରତିକ୍ରିୟା ରଖି ଉମା ସାମନ୍ତରାୟ କହିଥିଲେ ଯେ, ଦଳରେ ସୁପ୍ରିମୋ ହେଉଛନ୍ତି ନବୀନ ପଟ୍ଟନାୟକ। ସେ ଯେଉଁ ନିଷ୍ପତ୍ତି ନେବେ ତାହା ସର୍ବଶ୍ରେଷ୍ଠ ନିଷ୍ପତ୍ତି। କାହାକୁ କିଛି କୁହାଯାଇ ନାହିଁ। କିଏ କ’ଣ ମନରୁ କହି ଦେଇଥିବ? ସେ ବିଷୟରେ ମୁଁ କିଛି କହିବାକୁ ଚାହେଁ ନାହିଁ। କିଏ କ’ଣ କହିଲା ସେଥିରେ ମୋର ଯାଏ ଆସେ ନାହିଁ । ସତ୍ୟବାଦୀରେ ବିଜେଡି ଖାତା ମୁଁ ଖୋଲିଥିଲି ବୋଲି ଉମା ସାମନ୍ତରାୟ କହିଛନ୍ତି । ସତ୍ୟବାଦୀ କହିଲେ ଉମା ସାମନ୍ତରାୟ  ବୋଲି ସେ ଦମ୍ଭୋକ୍ତି କରିଥିଲେ ।

ସେ ଆହୁରି କହିଥିଲେ, ବିଜୁ ଜନତା ଦଳ ହେଉଛି ଶୃଙ୍ଖଳିତ ଦଳ।  ସତ୍ୟବାଦୀ ମୋ ଜନ୍ମସ୍ଥାନ। ସତ୍ୟବାଦୀରେ ବିଜେଡି ଖାତା ଖୋଲି ନଥିଲା। ମୁଁ ୨୦୧୯ରେ ବିଜେଡିରୁ ବିଜୟ ଲାଭ କରି ଖାତା ଖୋଲିଥିଲି।