ଅନାସ୍ଥା ମହାବିତର୍କ : ଆଜି ଗୃହରେ ଉତ୍ତର ରଖିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଅନାସ୍ଥା ପ୍ରସ୍ତାବକୁ ନେଇ ସଂସଦରେ ଦୁଇ ଦିନ ହେବ ବିତର୍କ ଚାଲିଛି । ଆଜି ତୃତୀୟ ଦିନରେ ପ୍ରଧାନମନ୍ତ୍ରୀ ବିବୃତି ରଖିବେ ବୋଲି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ସ୍ପଷ୍ଟ କରିଛନ୍ତି । ତେଣୁ ଲୋକସଭାରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଣ କହିବେ ତା’ଉପରେ ସମସ୍ତଙ୍କ ନଜର ରହିଛି । ମଣିପୁରରେ ଦୁଇ ମହିଳାଙ୍କୁ ନିର୍ୟାତନା ଘଟଣାରେ ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ।
ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ସଂସଦରେ ଉତ୍ତର ରଖନ୍ତୁ ବୋଲି ବିରୋଧୀ ଦାବି କରିଥିଲେ । ହେଲେ ମୋଦୀ କେବଳ ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସଂସଦ ବାହାରେ ଘଟଣାକୁ ନିନ୍ଦା କରିବା ସହିତ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ । ତେବେ ହିଂସା ମେ ମାସରେ ହୋଇଥିବା ବେଳେ ମୋଦୀ ମୌସୁମୀ ଅଧିବେଶନ ଯାଏ ନିଜର ମନ୍ତବ୍ୟ ରଖିବାକୁ କାହିଁକି ସମୟ ନେଲେ, କାହିଁକି ନିଜେ ହିଂସା ସ୍ଥଳ ପରିଦର୍ଶନ କଲେନି ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି ।
ସେପଟେ, କଂଗ୍ରେସ ନେତା ରାହୁଲ ଗାନ୍ଧି ସରକାରଙ୍କ ଉପରେ ତୀବ୍ର ଆକ୍ରମଣ କରି ରାହୁଲ କହିଛନ୍ତି, ସେନା ହିଁ ମଣିପୁରରେ ଶାନ୍ତି ଫେରାଇ ଆଣିପାରିବ । କିନ୍ତୁ ସରକାର ସେନା ମୁତୟନ କରୁନାହାନ୍ତି। ଆପଣ ଲୋକଙ୍କ ସ୍ବରକୁ ହତ୍ୟା କରିଛନ୍ତି, ଯାହାର ଅର୍ଥ ହେଉଛି ଆପଣ ମଣିପୁରରେ ଭାରତ ମାତାଙ୍କର ହତ୍ୟା କରିଛନ୍ତି। ମୋ ମା’ ଏଠାରେ ବସିଛନ୍ତି। ଅନ୍ୟ ଜଣେ ମା’ ଭାରତ ମାତାଙ୍କୁ ଆପଣ ମଣିପୁରରେ ହତ୍ୟା କରିଛନ୍ତି ।